ଗତ କିଛିଦିନ ତଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଗୃହରୁ ନିଲମ୍ବିତ କରାଯାଇଥିଲା। ତେବେ ଆଜି ତାଙ୍କ ନିଲମ୍ବନ ଆଦେଶ ଶେଷ ହୋଇଛି। ଆଜି ବିଧାନସଭାକୁ ଫେରିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି। ତେବେ ଆଜି ବିଧାନସଭାରେ କ’ଣ ରହିବ ତାରାଙ୍କ ଆଭିମୁଖ୍ୟ,ତା ଉପରେ ସମସ୍ତଙ୍କ ନଜର ରହିଛି। ବିଧାନସଭାରେ ବିଶୃଙ୍ଖଳା କରିବା ଅଭିଯୋଗରେ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବିତ କରିଥିଲେ ବାଚସ୍ପତି ସୁରମା ପାଢୀ। ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିଥିଲେ ତାରା। ଏହାପରେ ତାରାଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି। ତେବେ ତାରାଙ୍କୁ ନିଲମ୍ବନ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ସମସ୍ତ କଂଗ୍ରେସ ବିଧାୟକ। ଗାନ୍ଧୀ ମୂର୍ତ୍ତି ତଳେ ବସି ସାରା ରାତି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ପିସିସି ସଭାପତି ପହଞ୍ଚି ବୁଝାସୁଝା କରିବା ଦ୍ୱାରା ଧାରଣାରୁ ଉଠିଥିଲେ ଦଳର ବିଧାୟକ।
ସୂଚନା ଅନୁସାରେ, ଆଜି ଗୃହକୁ ଫେରିଛନ୍ତି ତାରା ବାହିନୀପତି। ସେ ତାଙ୍କ କଂଗ୍ରେସ କର୍ମୀଙ୍କ ସହ କଳା ପୋଷାକ ପିନ୍ଧି ବିଧାନସଭାରେ ଯୋଗ ଦେଇଛନ୍ତି। ତେବେ ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଛି। କଳା ପୋଷାକରେ ଗୃହ ଭିତରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି ତାରା ବାହିନୀପତି ସହ କଂଗ୍ରେସ ସଦସ୍ୟ। ଫଳରେ ବାଧ୍ୟ ହୋଇ ସାଢ଼େ ୧୧ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢୀ।












Leave a Reply