ଅକ୍ଷର ବ୍ୟୁରୋ: ସରକାରଙ୍କ ପୋଲିଓ ନିରାକରଣ ଅଭିଯାନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଅଭିଯୋଗ ସାମ୍ନାକୁ ଆସିଛି। ଚନ୍ଦ୍ରାଦେଇପୁର, ରୂପୁଦେଇପୁର ଏବଂ ମୌଜବେଗ ଅଙ୍ଗନବାଡ଼ି କେନ୍ଦ୍ରରେ ପୋଲିଓ ଟୀକାକରଣ ପାଇଁ ସକାଳୁ ପହଞ୍ଚିଥିବା ଅଭିଭାବକମାନେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ନପହଞ୍ଚିବାରୁ ନିରାଶ ହୋଇ ଫେରିଯାଇଥିବା ଅଭିଯୋଗ ହୋଇଛି। ଏହାଫଳରେ ୩୦ରୁ ଅଧିକ ଶିଶୁ ପୋଲିଓ ଟୀକା ପାଇବାରୁ ବଞ୍ଚିତ ହୋଇଥିବା କୁହାଯାଇଛି।
ଅଭିଭାବକଙ୍କ କହିବା ଅନୁଯାୟୀ, ସେମାନେ ସକାଳ ୭ଟାରୁ ପିଲାମାନଙ୍କୁ ନେଇ ଟୀକାକରଣ କେନ୍ଦ୍ରରେ ପହଞ୍ଚିଥିଲେ। ପ୍ରାୟ ସକାଳ ୯ଟା ୧୫ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ଟୀକାକରଣ ଆରମ୍ଭ ହୋଇନଥିଲା। ଦୀର୍ଘ ସମୟ ଧରି କୌଣସି ସ୍ୱାସ୍ଥ୍ୟକର୍ମୀ ନଆସିବାରୁ ସେମାନେ ନିରାଶ ହୋଇ ପିଲାମାନଙ୍କୁ ନେଇ ଘରକୁ ଫେରିଯାଇଥିଲେ। ଅନ୍ୟପଟେ, ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଫେଇ ଦେଇ କହିଛି ଯେ ସକାଳ ୮ଟାରୁ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେବେ ବିଭାଗର ଏହି ଦାବି ଓ ଅଭିଭାବକଙ୍କ ଅଭିଯୋଗ ମଧ୍ୟରେ ଥିବା ତଫାତକୁ ନେଇ ଏବେ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲିଓ ପରି ଜାତୀୟ ସ୍ୱାସ୍ଥ୍ୟ ଅଭିଯାନରେ ଏଭଳି ଅବ୍ୟବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ସାମାନ୍ୟ ଅବହେଳା ଯୋଗୁଁ ଶିଶୁମାନେ ଜୀବନରକ୍ଷାକାରୀ ଟୀକାରୁ ବଞ୍ଚିତ ହେବା ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଆଗାମୀ ଦିନରେ କୌଣସି ଶିଶୁ ଯେପରି ପୋଲିଓ ଟୀକାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଦୃଢ଼ ବ୍ୟବସ୍ଥା କରିବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।












Leave a Reply