କୋଟି କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ; ନେପାଳ ପଳାଉଥିବା ବେଳେ ଧରିଲା କମିଶନରେଟ ପୁଲିସ୍

ଅକ୍ଷର ବ୍ୟୁରୋ: ଦୀର୍ଘଦିନ ଧରି ଫେରାର ଥିବା ଜଣେ ମୋଷ୍ଟ ୱାଣ୍ଟେଡ୍ ଠକକୁ ଶେଷରେ କାବୁ କରିଛି କମିଶନରେଟ ପୁଲିସ୍। ‘ଗୋ ସ୍ପିଡ୍ ଗୋ କାର୍ ସର୍ଭିସ୍’ କମ୍ପାନୀ ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ସଚିଦାନନ୍ଦ ଭୋଇଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପଶ୍ଚିମବଙ୍ଗ ବର୍ଡର ଦେଇ ନେପାଳକୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଭୁବନେଶ୍ୱର ଇନଫୋସିଟ ଥାନା ପୁଲିସ୍ ତାକୁ ଧରିବାରେ ସଫଳ ହୋଇଛି। ପୁଲିସ୍ କହିଛି, ସଚିଦାନନ୍ଦ ଭୋଇଙ୍କ ବିରୋଧରେ ସହିଦନଗର ଥାନା, ସ୍ପେସାଲ୍ କ୍ରାଇମ୍ ୟୁନିଟ୍, ପାହାଳ ଓ କଞ୍ଜୁମର ରେଡ୍ରେସଲ୍ ସହ ଏକାଧିକ ମାମଲା ରହିଛି। ତାଙ୍କ ବିରୋଧରେ ନନ୍-ବେଲେବଲ୍ ୱାରେଣ୍ଟ (NBW) ମଧ୍ୟ ଜାରି ହୋଇଥିଲା।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ୨୫୦ରୁ ଅଧିକ ଲୋକଙ୍କଠାରୁ ଟଙ୍କା ନେଇ ଠକେଇ କରାଯାଇଥିବା ଅଭିଯୋଗ ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ସାଢ଼େ ୩ କୋଟି ଟଙ୍କା ଠକେଇ ହୋଇଥିବା ପ୍ରମାଣ ପୁଲିସ୍ ପାଇଛି। ତେବେ ସମଗ୍ର ଠକେଇର ପରିମାଣ ୫ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଗିରଫ ପରେ ଅଭିଯୁକ୍ତକୁ ସିଲିଗୁଡ଼ି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ୪ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶାକୁ ଅଣାଯାଇଛି। ଏବେ ପୁଲିସ୍ ସଚିଦାନନ୍ଦଙ୍କ ଆର୍ଥିକ କାରବାର, ବ୍ୟାଙ୍କ ଖାତା ଓ ସମ୍ପତ୍ତିର ଯାଞ୍ଚ କରୁଛି। ସେ ରାଜ୍ୟ ବାହାରେ କିମ୍ବା ବିଦେଶରେ କୌଣସି ନିବେଶ କରିଛନ୍ତି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।

କମିଶନରେଟ ପୁଲିସ୍ କହିଛି, ଏହି ଠକେଇ ଜାଲରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ପ୍ରକାର ଠକେଇ ହୋଇଛି କି ନାହିଁ, ତାହାର ମଧ୍ୟ ତଦନ୍ତ କରାଯାଉଛି। ଏହି ଗିରଫକୁ କମିଶନରେଟ ପୁଲିସ୍‌ର ଏକ ବଡ଼ ସଫଳତା ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)