ଅକ୍ଷର ବ୍ୟୁରୋ: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଜଗମୁଣ୍ଡା ଗାଁ ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଶିକ୍ଷାନୁଷ୍ଠାନର ବସ୍ ସହ ବାଇକର ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୃତକ ହେଲେ ଗୁଡ଼ାରି ଥାନା ଅଧୀନ ଡିବିରିସିଂ ଗାଁର ଗୌତମ ଦାସ। ଗୁରୁତର ଆହତ ଯୁବକ ହେଲେ ପଦ୍ମପୁର ନୂଆସାହିର ସରୋଜ ଶତପଥି। ସୂଚନା ଅନୁସାରେ, ଉଭୟ ଯୁବକ ବାଇକ ଯୋଗେ କୌଣସି କାମରେ ଗୁମୁଡ଼ା ଯାଇ ପଦ୍ମପୁର ଫେରୁଥିବା ବେଳେ ଜଗମୁଣ୍ଡା ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ବସ୍ ସହ ସେମାନଙ୍କ ବାଇକର ସାମ୍ନାସାମ୍ନି ଧକ୍କା ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗୌତମ ଦାସଙ୍କୁ ମୃତ ଘୋଷଣା କରିଥିବାବେଳେ ସରୋଜ ଶତପଥିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ସୂଚନା ପାଇ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଓ ବାଇକକୁ ଜବତ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।















Leave a Reply