ଦେବସ୍ନାନ ପୂର୍ଣ୍ଣିମାରେ ଚଳଚଞ୍ଚଳ ନେମାଳ ପଦ୍ମବନ ପୀଠ

ଅକ୍ଷର ବ୍ୟୁରୋ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଏବଂ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସ ଅବସରରେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍ ସ୍ଥିତ ନେମାଳ ପଦ୍ମବନ ପୀଠ ଆଜି ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ପୀଠରେ ପହଞ୍ଚି ମହାପୁରୁଷଙ୍କ ଦର୍ଶନ କରିବା ସହ ଆଧ୍ୟାତ୍ମିକ ପରିବେଶରେ ନିଜକୁ ସାମିଲ କରିଛନ୍ତି।

ଲୋକବିଶ୍ୱାସ ଅନୁସାରେ, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଅନ୍ତିମ ଇଚ୍ଛାକୁ ସମ୍ମାନ ଜଣାଇ ବର୍ଷକୁ ମାତ୍ର ଥରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରର ସ୍ନାନଯାତ୍ରା ପରେ ନେମାଳ ପଦ୍ମବନ ପୀଠରେ ବିରାଜମାନ କରନ୍ତି। ଏହି ପବିତ୍ର ପରମ୍ପରା ଯୋଗୁଁ ପଦ୍ମବନ ପୀଠକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ। ଏହି ଦିନରେ ପଦ୍ମବନରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦର୍ଶନ କରିବା ସାକ୍ଷାତ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ସମାନ ବୋଲି ଭକ୍ତମାନଙ୍କ ମଧ୍ୟରେ ଅଗାଧ ବିଶ୍ୱାସ ରହିଛି। ସେଥିପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଏହି ପବିତ୍ର ପୀଠକୁ ଛୁଟି ଆସିଛନ୍ତି।

ପୀଠ ପରିସରରେ ବେଦମନ୍ତ୍ର, ହରିନାମ ସଂକୀର୍ତ୍ତନ ଓ ଭଜନ-କୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ମହାପୁରୁଷଙ୍କ ସମାଧି ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଧାର୍ମିକ ନୀତିକାନ୍ତି ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି। ଦେବସ୍ନାନ ପୂର୍ଣ୍ଣିମା ଓ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସର ଏହି ବିରଳ ସଂଯୋଗ ନେମାଳ ପଦ୍ମବନ ପୀଠର ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇ ଦେଇଛି। ଭକ୍ତମାନଙ୍କ ବିଶ୍ୱାସ, ଆଜିର ଦିନରେ ଏଠାରେ ଦର୍ଶନ କଲେ ମହାପ୍ରଭୁଙ୍କ ଅପାର କୃପା ସହ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆଶୀର୍ବାଦ ଲାଭ ହୋଇଥାଏ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial