ଭିମସାର ବୁର୍ଲାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଟ୍ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର : ଅଧିକ ଲୋଭ ସାଜିଲା କାଳ | ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର ବୁର୍ଲାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଟ୍ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିଭିନ୍ନ ଠିକଣାରେ ଚାଲିଥିବା ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତି ଠାବ ହୋଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ହୋଇଥିବା ଚଢ଼ାଉରେ ବିଶ୍ଵାଳ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି କୋଠା, ୨୦ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧୯ ଲକ୍ଷ ୭୨ ହଜାର ୪୯୦ ଟଙ୍କା ସମେତ ଅନେକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତି ମଧ୍ୟରେ ଧନକଉଡାଠାରେ ପ୍ରାୟ ୧୬୫୦ ବର୍ଗଫୁଟର ଏକ ଦୁଇ ମହଲା ବାସଭବନ ଓ ଗୁଡେସିଙ୍ଗାରେ ଆଉ ଏକ କୋଠା ମଧ୍ୟ ରହିଛି। ଏହାଛଡ଼ା ସମ୍ବଲପୁର ସହର ଉପକଣ୍ଠରେ ଥିବା ୨୦ଟି ମୂଲ୍ୟବାନ ଜମି ପ୍ଲଟ୍ ମଧ୍ୟ ଚିହ୍ନଟ କରାଯାଇଛି ।
ଠାବ କରାଯାଇଥିବା ଏହି କୋଠା ଓ ପ୍ଲଟ୍ଗୁଡ଼ିକର ମାପ ସହ ମୂଲ୍ୟାଙ୍କନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ବିଭାଗ । ସେହିପରି ସୁନା ଅଳଙ୍କାରର ଓଜନ ନିର୍ଦ୍ଧାରଣ କରାଯାଉଥିବା ବେଳେ ବ୍ୟାଙ୍କ ଜମା, ଡାକଘର ସଞ୍ଚୟ ଓ ଅନ୍ୟାନ୍ୟ ଆର୍ଥିକ ବିନିଯୋଗର ତଥ୍ୟ ମଧ୍ୟ ସଂଗ୍ରହ କରୁଛି ଭିଜିଲାନ୍ସ ଟିମ । ଚଢ଼ାଉ ସମୟରେ ଏକ ହାଇୱା ଟ୍ରକ୍, ଏକ ଚାରିଚକିଆ ଯାନ, ଦୁଇଟି ଟ୍ରାକ୍ଟର ଓ ତିନିଟି ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି। ଭିଜିଲାନ୍ସ ଚଢ଼ାଉ ଅଭିଯାନ ଜାରି ରହିଥିବା ବେଳେ ଆଗାମୀ ରିପୋର୍ଟରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।















Leave a Reply