ବିଲ ହୁଡ଼ା ବିବାଦର ରକ୍ତାକ୍ତ ପରିଣତି! ମଇଁଷି ନେବାକୁ ବାରଣ କରିବାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ଅକ୍ଷର ବ୍ୟୁରୋ: ନୟାଗଡ଼ ଜିଲ୍ଲାରେ ସାମାନ୍ୟ ଜମି ବିବାଦ ନେଇ ଘଟିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ। ବିଲ ହୁଡ଼ାରେ ମଇଁଷି ନେବାକୁ ବାରଣ କରିବାରୁ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣା ଇଟାମାଟି ଥାନା ଅନ୍ତର୍ଗତ ପାଣ୍ଡେରିପାଟଣା ଗାଁରେ ଘଟିଛି। ମୃତକ ହେଲେ ପୀତବାସ ଖଟୁଆ।

ସୂଚନା ଅନୁସାରେ, ପାଣ୍ଡେରିପାଟଣା ଗାଁର ପୀତବାସଙ୍କ ଜମିର ହୁଡ଼ା ଦେଇ ପଡ଼ୋଶୀ ବାଘେରା ଗାଁର ବାନାମ୍ବର ପରିଡ଼ା ନିୟମିତ ଭାବେ ମଇଁଷି ନେବା-ଆଣିବା କରୁଥିଲେ। ଏହାକୁ ନେଇ ପ୍ରାୟ ୧୫ ଦିନ ତଳେ ପୀତବାସ ଆପତ୍ତି କରିବାରୁ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହି ବିବାଦ ଥାନା ପର୍ଯ୍ୟନ୍ତ ଯାଇଥିଲା ଏବଂ ପୁଲିସ ମାମଲା ମଧ୍ୟ ରୁଜୁ କରିଥିଲା।

ତେବେ ଗତକାଲି ବାଘେରା ଗାଁର ଏକ ଚା’ ଦୋକାନରେ ପୀତବାସ ଚା’ ପିଉଥିବା ବେଳେ, ବାନାମ୍ବର ପରିଡ଼ା ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ଜବରଦସ୍ତି ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପରେ କିଛି ଦୂରକୁ ନେଇ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରେ ଛାଡ଼ି ପଳାଇଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ପୀତବାସଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଘଟଣା ପରେ ଇଟାମାଟି ପୁଲିସ ମାମଲା ନଂ–୨୨୮/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜୋରଦାର କରିଥିବା ବେଳେ, ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)