ଜୟଦେବ ବିହାର–ନନ୍ଦନକାନନ କରିଡରର କାୟାକଳ୍ପ; ୫୭୯ କୋଟିର ମେଗା ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଦୀର୍ଘଦିନର ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏକ ବୃହତ୍ ପରିବହନ ପ୍ରକଳ୍ପ। ଜୟଦେବ ବିହାରରୁ ନନ୍ଦନକାନନ, ବାରଙ୍ଗ ହୋଇ କଟକ ପର୍ଯ୍ୟନ୍ତ ଯାତାୟାତକୁ ସୁଗମ କରିବା ପାଇଁ ୫୭୯ କୋଟି ବ୍ୟୟର ମେଗା ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପ ଅଧୀନରେ ଜୟଦେବ ବିହାର ଛକରେ ଏକ ଅତ୍ୟାଧୁନିକ ୪-ଲେନ୍ କେବଲ୍-ଷ୍ଟେଡ୍ ସେତୁ ସହ ସମ୍ପୂର୍ଣ୍ଣ କରିଡରରେ ୬ଟି ଫ୍ଲାଏଓଭର ନିର୍ମାଣ କରାଯିବ।

ରାଜ୍ୟ କ୍ୟାବିନେଟ୍ ଦିନେଶ ଚନ୍ଦ୍ର ଆର୍. ଅଗ୍ରୱାଲ ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍ର ଟେଣ୍ଡରକୁ ମଞ୍ଜୁରି ଦେଇଛି। ପୂର୍ତ୍ତ ବିଭାଗର ଯୋଜନା ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ପ୍ରାୟ ୯.୫ କିଲୋମିଟର ରାସ୍ତାକୁ ୮-ଲେନ୍‌ରେ ପ୍ରଶସ୍ତ କରାଯିବ, ଯେଉଁଥିରେ ସର୍ଭିସ୍ ରୋଡ୍‌ର ବ୍ୟବସ୍ଥା ମଧ୍ୟ ରହିବ। ସମ୍ପୂର୍ଣ୍ଣ ପ୍ରକଳ୍ପକୁ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ମେଗା ପ୍ରକଳ୍ପର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଜୟଦେବ ବିହାର ଛକରେ ଜାତୀୟ ରାଜପଥ-୧୬ ଉପରେ ନିର୍ମାଣ ହେବାକୁ ଥିବା ୪-ଲେନ୍ କେବଲ୍-ଷ୍ଟେଡ୍ ସେତୁ। ଏହାସହ କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ଏବଂ କଳାରାହାଙ୍ଗ ଛକରେ ସ୍ୱତନ୍ତ୍ର ୪-ଲେନ୍ ଫ୍ଲାଏଓଭର ନିର୍ମାଣ କରାଯିବ। ଫ୍ଲାଏଓଭର ଉପରେ ୪-ଲେନ୍ ଏବଂ ତଳେ ୪-ଲେନ୍ ରାସ୍ତା ରହିବାରୁ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବ।

ପ୍ରକଳ୍ପରେ କେବଳ ଫ୍ଲାଏଓଭର ନୁହେଁ, ବରଂ ମାଇନର ବ୍ରିଜ୍, କ୍ରସ୍ ଡ୍ରେନେଜ୍ ବ୍ୟବସ୍ଥା, ୫.୫ ମିଟର ସର୍ଭିସ୍ ରୋଡ୍, ୭.୫ ମିଟର ସ୍ଲିପ୍ ରୋଡ୍, ରାଉଣ୍ଡଅବାଉଟ୍, ଆଧୁନିକ ଜଙ୍କସନ୍, ରାସ୍ତା ସୌନ୍ଦର୍ଯ୍ୟକରଣ, ରୋଡ୍ ମାର୍କିଂ, ରୋଡ୍ ଫର୍ଣ୍ଣିଚର୍, ସଡ଼କ ସୁରକ୍ଷା ବ୍ୟବସ୍ଥା, ପାର୍କିଂ ବେ ଓ ବ୍ରିଜ୍ ଆଲୋକୀକରଣ ଭଳି ବିଭିନ୍ନ ଅତ୍ୟାଧୁନିକ ସୁବିଧା ସାମିଲ କରାଯାଇଛି।

ପ୍ରକଳ୍ପରେ ପରିବେଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାସ୍ତା କଡ଼ରେ ବ୍ୟାପକ ବୃକ୍ଷରୋପଣ କରାଯିବ। ସେହିପରି ନିର୍ମାଣକାରୀ ସଂସ୍ଥାକୁ ୧୦ ବର୍ଷ ପର୍ଯ୍ୟନ୍ତ ରାସ୍ତାର ରକ୍ଷଣାବେକ୍ଷଣ ଓ ଯେକୌଣସି ତ୍ରୁଟିର ସଂଶୋଧନ ପାଇଁ ଦାୟିତ୍ୱ ଦିଆଯାଇଛି। ଭବିଷ୍ୟତର ସହରୀ ବିକାଶକୁ ନଜରରେ ରଖି ପ୍ରକଳ୍ପରେ ଅଣ୍ଡରପାସ୍, ସବ୍‌ୱେ, ଭୂତଳ ପାର୍କିଂ ଏବଂ ବାଣିଜ୍ୟିକ ବିକାଶ ପାଇଁ ଉପଯୁକ୍ତ ଜଙ୍କସନ୍ ଡିଜାଇନ୍ ମଧ୍ୟ ସାମିଲ କରାଯାଇଛି। ସରକାରଙ୍କ ମତରେ, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭୁବନେଶ୍ୱରର ଦୀର୍ଘମିଆଦୀ ପରିବହନ ବ୍ୟବସ୍ଥା ଓ ସହରୀ ବିକାଶକୁ ବଡ଼ ସହାୟତା ମିଳିବ।

ତେବେ ଏହି ପ୍ରକଳ୍ପକୁ ନେଇ ଏକ ନୂଆ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ପୂର୍ବରୁ ଏହି କରିଡରରେ ମେଟ୍ରୋ ରେଳ ପାଇଁ ପ୍ରସ୍ତାବିତ ଏଲିଭେଟେଡ୍ କରିଡର ଡିଜାଇନ୍ କରାଯାଇଥିଲା। ବର୍ତ୍ତମାନ ସେହି ସ୍ଥାନରେ ଫ୍ଲାଏଓଭର ନିର୍ମାଣ ହେବାକୁ ଥିବାରୁ ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପର ସମ୍ଭାବନା ପ୍ରାୟତଃ ବନ୍ଦ ହୋଇଯାଇଥିବା ନେଇ ଆଲୋଚନା ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)