ଅକ୍ଷର ବ୍ୟୁରୋ: ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ରାଜ୍ୟ ସରକାର ‘ଓଡ଼ିଶା ବୈଦ୍ୟୁତିକ ଯାନ ନୀତି–୨୦୨୧’ର ଅବଧିକୁ ପୁଣିଥରେ ବୃଦ୍ଧି କରିଛନ୍ତି। ଫଳରେ ଆସନ୍ତା ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କ୍ରୟ ଉପରେ ସରକାରୀ ସବସିଡି ଓ ପ୍ରୋତ୍ସାହନ ସୁବିଧା ଜାରି ରହିବ।
ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଅଧିକ ଲୋକପ୍ରିୟ କରିବା ଏବଂ ବୈଦ୍ୟୁତିକ ଯାନର ବ୍ୟବହାର ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଇଭି ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ବେଳେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ ସବୁଜ ପରିବହନ ବ୍ୟବସ୍ଥାକୁ ଆହୁରି ଗତି ଦେବ ବୋଲି ଆଶା କରାଯାଉଛି।
ନୂଆ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ବୈଦ୍ୟୁତିକ ଯାନ ନୀତି–୨୦୨୧ର ବୈଧତା ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ଫଳରେ ଏହି ସମୟ ମଧ୍ୟରେ ଇଭି କିଣୁଥିବା ଗ୍ରାହକମାନେ ସରକାରଙ୍କ ପକ୍ଷରୁ ମିଳୁଥିବା ସବସିଡି ଓ ଅନ୍ୟାନ୍ୟ ପ୍ରୋତ୍ସାହନ ସୁବିଧାର ଲାଭ ଉଠାଇପାରିବେ।
ରାଜ୍ୟ ପରିବହନ ବିଭାଗର ଏହି ନିଷ୍ପତ୍ତି କେବଳ ଇଭି କ୍ରେତାଙ୍କ ପାଇଁ ନୁହେଁ, ବରଂ ବୈଦ୍ୟୁତିକ ଯାନ ବିକ୍ରେତା, ଡିଲର୍, ନିର୍ମାତା ଓ ଏହି କ୍ଷେତ୍ର ସହ ଜଡ଼ିତ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ବଡ଼ ପ୍ରୋତ୍ସାହନ ସାବ୍ୟସ୍ତ ହେବ। ନୀତିର ଅବଧି ବୃଦ୍ଧି ହେବା ଫଳରେ ରାଜ୍ୟରେ ବୈଦ୍ୟୁତିକ ଯାନର ବିକ୍ରି ବୃଦ୍ଧି ପାଇବା ସହ ପରିବେଶ ପ୍ରଦୂଷଣ ହ୍ରାସ ଏବଂ ପରିଷ୍କାର ଶକ୍ତିଭିତ୍ତିକ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି।













Leave a Reply