ଘରୋଇ ମେସ୍‌ରୁ ରହସ୍ୟମୟ ଭାବେ ନିଖୋଜ ୪ ଛାତ୍ର; ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ଅଭିଭାବକ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଘରୋଇ ମେସ୍‌ରୁ ଏକାସାଙ୍ଗରେ ୪ ଜଣ ଛାତ୍ର ନିଖୋଜ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ ଅଭିଭାବକମାନେ ଗୁରୁତର ଅଭିଯୋଗ ଆଣିଥିବାବେଳେ, ମେସ୍‌ରେ ଛାତ୍ରମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଦାବି କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧୀନ ବଡବିଲ୍ ଗ୍ରାମର ଅକ୍ଷୟ ଆଚାର୍ଯ୍ୟ ହାଇସ୍କୁଲରେ ପଢ଼ୁଥିବା ୪ ଜଣ ଛାତ୍ର ଏକ ଘରୋଇ ମେସ୍‌ରେ ରହୁଥିଲେ। ସେମାନଙ୍କ ମଧ୍ୟରେ ଦୁଇଜଣ ଦଶମ ଶ୍ରେଣୀ, ଜଣେ ନବମ ଓ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଥିବା ସୂଚନା ମିଳିଛି। ନିଖୋଜ ଛାତ୍ରମାନଙ୍କ ମଧ୍ୟରେ ବାଲେଶ୍ୱର ସଦର ଥାନା ଅଧୀନ ମୁଲାନପୁର ଗ୍ରାମର ସରିତା ବେହେରାଙ୍କ ପୁଅ ସତେନ୍ଦୁ ବେହେରା ଓ ରାକେଶ ବେହେରାଙ୍କ ପୁଅ ରୀତେଶ ବେହେରା ଥିବାବେଳେ, ଅନ୍ୟ ଦୁଇ ଛାତ୍ର କଟକ ଓ ବଣପାରିଆ ଅଞ୍ଚଳର ବୋଲି ଜଣାପଡ଼ିଛି।

ଘଟଣାକୁ ନେଇ ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ସିସିଟିଭି ଫୁଟେଜ୍‌। ଛାତ୍ରମାନେ ମେସ୍‌ ଛାଡ଼ି ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବାବେଳେ, ସିସିଟିଭିର ଚିତ୍ର ଓ ମେସ୍‌ ମାଲିକଙ୍କ ବୟାନ ମଧ୍ୟରେ ମେଳ ଖାଉନଥିବା ଅଭିଯୋଗ ହୋଇଛି। ଏହା ଘଟଣାକୁ ଆହୁରି ସନ୍ଦେହଜନକ କରିଛି।

ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ଘରୋଇ ମେସ୍‌ରେ ଛାତ୍ରମାନଙ୍କୁ ଅତ୍ୟାଚାର ଓ ନିର୍ଯାତନା ଦିଆଯାଉଥିବାରୁ ସେମାନେ ମେସ୍‌ ଛାଡ଼ି ପଳାଇଥାଇପାରନ୍ତି। ଏହି ଅଭିଯୋଗକୁ ଆଧାର କରି ନୀଳଗିରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସିସିଟିଭି ଫୁଟେଜ୍‌, ମେସ୍‌ କର୍ତ୍ତୃପକ୍ଷଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ନିଖୋଜ ଛାତ୍ରମାନଙ୍କ ସନ୍ଧାନ ଜାରି ରଖିଛି। ଘଟଣା ପରେ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବାବେଳେ, ଶୀଘ୍ର ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)