ଗ୍ୟାସ୍‌ ବୋଝେଇ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବାଲି ବୋଝେଇ ହାଇୱା; ଅଳ୍ପକେ ଟଳିଲା ବଡ଼ ଅଘଟଣ

ଅକ୍ଷର ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ସିମୋର–ବାଙ୍କୀ ୪୮ ନମ୍ବର ରାଜ୍ୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅଳ୍ପକେ ଟଳିଯାଇଛି ବଡ଼ ଅଘଟଣ। ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌କୁ ପଛରୁ ବାଲି ବୋଝେଇ ହାଇୱା ଧକ୍କା ଦେବାରୁ ଟ୍ରକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍‌ରେ ଗ୍ୟାସ୍‌ ସିଲିଣ୍ଡର ଥିବା ସତ୍ତ୍ୱେ କୌଣସି ବିସ୍ଫୋରଣ କିମ୍ବା ଅଗ୍ନିକାଣ୍ଡ ଘଟିନଥିବାରୁ ଏକ ବଡ଼ ବିପର୍ଯ୍ୟୟ ଟଳିଯାଇଛି।

ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ଟ୍ରକ୍‌ ଚାଳକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଖବର ପାଇ ବାଘମାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଫେରାର ହାଇୱା ଚାଳକଙ୍କୁ ଧରିବା ପାଇଁ ପୁଲିସ ପଦକ୍ଷେପ ନେଇଛି।

ଏହି ଘଟଣା ପରେ ସିମୋର–ବାଙ୍କୀ ରାଜ୍ୟ ରାଜପଥରେ ବେଆଇନ ବାଲି ପରିବହନ ଓ ବେପରୁଆ ଗାଡ଼ି ଚଳାଚଳକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ତା ବାଲି ଚୋରା ଚାଲାଣର ମୁଖ୍ୟ ଗଳାବାଟ ପାଲଟିଥିବା ବେଳେ ଭୋର ସମୟରେ ଅନେକ ବାଲି ବୋଝେଇ ହାଇୱା ଅତ୍ୟଧିକ ବେଗରେ ଚଳାଚଳ କରୁଛି। ଏଭଳି ବେପରୁଆ ଗାଡ଼ି ଚଳାଚଳ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହି ରାସ୍ତାରେ କଡ଼ା ଯାଞ୍ଚ ଓ ବେଗ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)