ଅକ୍ଷର ବ୍ୟୁରୋ: ଲଘୁଚାପ ଓ ସକ୍ରିୟ ମୌସୁମୀର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାରେ ଲାଗିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ଗତକାଲିଠାରୁ ଲଗାତାର ବର୍ଷା ଜାରି ରହିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବେଦଭୂଷଣ ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନିମ୍ନାଞ୍ଚଳରେ ଜଳ ଜମିବା ସହ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି। ଏହାର ପ୍ରଭାବରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଆଗାମୀ କିଛି ଦିନ ଯାଏ ବର୍ଷାର ପ୍ରକୋପ ଜାରି ରହିପାରେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ଏହାସହ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନ ଯିବା, ଜଳମଗ୍ନ ରାସ୍ତା ଅତିକ୍ରମ ନ କରିବା ଓ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଟିମ୍ର କଡ଼ା ନଜର ରହିଛି।














Leave a Reply