ଅକ୍ଷର ବ୍ୟୁରୋ: ରାଜ୍ୟରେ ଚତୁର୍ଥ ଦିନରେ ପହଞ୍ଚିଥିବା ସରକାରୀ ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ସମାଧାନର ଆଶା ସୃଷ୍ଟି ହୋଇଛି। ଡାକ୍ତର ସଂଘର ପ୍ରତିନିଧିମାନଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରହିଛି। ଏହି ବୈଠକରୁ କୌଣସି ସକାରାତ୍ମକ ନିଷ୍କର୍ଷ ବାହାରିବ କି ଏବଂ ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବ କି ନାହିଁ, ତାହା ଉପରେ ସରକାର, ଡାକ୍ତର ସଂଘ ଏବଂ ସାଧାରଣ ଲୋକଙ୍କ ନଜର ରହିଛି।
ରାଜ୍ୟବ୍ୟାପୀ ଆନ୍ଦୋଳନରେ ସାମିଲ ହୋଇଥିବା ସରକାରୀ ଡାକ୍ତରମାନେ ୧୦ ଦଫା ଦାବି ପୂରଣ ପାଇଁ ନିଜ ଜିଦ୍ରେ ଅଟଳ ରହିଛନ୍ତି। ସେମାନଙ୍କ ମୁଖ୍ୟ ଦାବି ମଧ୍ୟରେ ଡାକ୍ତରଙ୍କ ସୁରକ୍ଷା, କ୍ୟାଡର ପୁନର୍ଗଠନ, ଲେଭେଲ-୧୫ ପେ’ ସ୍କେଲ ଉଚ୍ଛେଦ, ସ୍ୱଚ୍ଛ ବଦଳି ନୀତି, କେବିକେ ଏଗ୍ଜିଟ୍ ପଲିସି, ବୀମା ସୁବିଧା, ଦନ୍ତ ଡାକ୍ତରଙ୍କ ପାଇଁ ଇନ୍ସେଣ୍ଟିଭ୍ ସହ ଅନ୍ୟାନ୍ୟ ପ୍ରସଙ୍ଗ ରହିଛି। ଏହି ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ସଂଘ ସ୍ପଷ୍ଟ କରିଛି।
ଅନ୍ୟପକ୍ଷରେ, ଦୀର୍ଘ ଦିନ ଧରି ଜାରି ରହିଥିବା ଅଚଳାବସ୍ଥାର ଅବସାନ ଘଟାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ସଂଘକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ବୈଠକରେ ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହେଉଛି। ବୈଠକରୁ ସହମତିର ବାଟ ବାହାରିଲେ ସ୍ୱାସ୍ଥ୍ୟସେବା ପୁଣି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଜାନୁଆରୀ ୬ ତାରିଖରୁ ରାଜ୍ୟ ସରକାର ଏସ୍ମା (Essential Services Maintenance Act) ଲାଗୁ କରିଥିଲେ ମଧ୍ୟ ଡାକ୍ତରମାନେ ଆନ୍ଦୋଳନରୁ ଓହରି ନାହାନ୍ତି। ଫଳରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ପରିସ୍ଥିତିର ମୁକାବିଲା ପାଇଁ ସରକାର ଆୟୁଷ ଡାକ୍ତର ଏବଂ ଠିକା ଡାକ୍ତରଙ୍କୁ ନିୟୋଜିତ କରିଥିଲେ ମଧ୍ୟ ଅନେକ ସରକାରୀ ହସ୍ପିଟାଲରେ ସେବା ବ୍ୟାହତ ହେଉଛି। ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ପରିବାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ, ବର୍ତ୍ତମାନ ଚାଲିଥିବା ସରକାର-ଡାକ୍ତର ସଂଘ ବୈଠକର ଫଳାଫଳ ଉପରେ ସମସ୍ତଙ୍କ ଆଶା ରହିଛି।















Leave a Reply