ବର୍ଷାରେ ବୁଡ଼ିଲା ରାଜଧାନୀ; ୨୪ ଘଣ୍ଟାରେ ୧୧୨.୩ ମି.ମି. ବର୍ଷା, ତଳିଆ ଅଞ୍ଚଳ ଜଳମଗ୍ନ

ଅକ୍ଷର ବ୍ୟୁରୋ: ସକ୍ରିୟ ଲଘୁଚାପର ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ବର୍ଷାର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ୧୧୨.୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଏହା ଚଳିତ ମୌସୁମୀରେ ରାଜଧାନୀର ସର୍ବାଧିକ ବର୍ଷା ମଧ୍ୟରୁ ଅନ୍ୟତମ। ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଅନେକ ରାସ୍ତାରେ ପାଣି ଜମି ରହିଥିବାରୁ ଯାନବାହନ ଚଳାଚଳ ବ୍ୟାହତ ହେବା ସହ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। କେବଳ ଭୁବନେଶ୍ୱର ନୁହେଁ, ଉପକୂଳ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି। ଚାନ୍ଦବାଲିରେ ୬୪.୬ ମିଲିମିଟର ଏବଂ ପୁରୀରେ ୫୫.୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ଉପକୂଳ ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ସ୍ପଷ୍ଟ ଭାବେ ଅନୁଭୂତ ହେଉଛି।

ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ରର ପ୍ରଭାବ ଯୋଗୁଁ ଆଗାମୀ କିଛି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ନଦୀକୂଳ, ନିମ୍ନାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗର ପରିସ୍ଥିତିକୁ ଦେଖି ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନ ଯିବାକୁ ମଧ୍ୟ ପ୍ରଶାସନ ଅନୁରୋଧ କରିଛି। ଲଗାଣ ବର୍ଷା ଜାରି ରହିବା ସହ ଅଧିକ ବର୍ଷାର ଆଶଙ୍କା ଥିବାରୁ ଆଗାମୀ ୪୮ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial