ପ୍ରବଳ ବର୍ଷା ଆଲର୍ଟ: କଟକରେ ସମସ୍ତ ସ୍କୁଲ-କଲେଜ ଛୁଟି, ନଦୀଘାଟ ଓ ବାଲିଘାଟରେ କଟକଣା

ଅକ୍ଷର ବ୍ୟୁରୋ: ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ପାଣିପାଗ ବିଭାଗର ସତର୍କ ସୂଚନା ପରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ଦିନକ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଶିକ୍ଷାନୁଷ୍ଠାନ ନୁହେଁ, ସମ୍ଭାବ୍ୟ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲାର ସମସ୍ତ ନଦୀଘାଟରେ କଡ଼ା କଟକଣା ଲାଗୁ କରିବାକୁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ନଦୀକୂଳ ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଉଛି।

ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ ପାଇଁ କଟକ ମହାନଗର ନିଗମ (ସିଏମସି) କମିସନର, ସମସ୍ତ ବ୍ଲକର ବିଡିଓ ଓ ଥାନାର ଆଇଆଇସିମାନଙ୍କୁ ସଜାଗ ରହିବା ସହ ପରିସ୍ଥିତି ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରଶାସନିକ ବ୍ୟବସ୍ଥା ପ୍ରସ୍ତୁତ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ ଦିନକ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଜିଲ୍ଲାର ସମସ୍ତ ବାଲିଘାଟରେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ଜିଲ୍ଲା ପ୍ରଶାସନ ସାଧାରଣ ଲୋକଙ୍କୁ ଅନାବଶ୍ୟକ ଘରୁ ବାହାରକୁ ନ ଯିବା, ନଦୀ ଓ ଜଳମଗ୍ନ ଅଞ୍ଚଳଠାରୁ ଦୂରରେ ରହିବା ସହ ପାଣିପାଗ ବିଭାଗ ଓ ପ୍ରଶାସନ ପକ୍ଷରୁ ଜାରି ସମସ୍ତ ସତର୍କ ସୂଚନାକୁ ପାଳନ କରିବାକୁ ଅନୁରୋଧ କରିଛି। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆଗାମୀ କିଛି ଘଣ୍ଟା କଟକ ଜିଲ୍ଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଶାସନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)