ଅକ୍ଷର ବ୍ୟୁରୋ: ରାଜ୍ୟରେ ମେ’ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଚିଠା ତାଲିକାରୁ ୨୦,୧୨,୫୫୭ ଜଣ ଭୋଟରଙ୍କ ନାମ ବାଦ୍ ପଡ଼ିଥିବାବେଳେ, ଚାରିଟି ରାଜ୍ୟ ମଧ୍ୟରେ ସର୍ବାଧିକ ନାମ ବାଦ୍ ହୋଇଥିବା ରାଜ୍ୟ ଭାବେ ଓଡ଼ିଶା ରହିଛି।
ଆଜି ଓଡ଼ିଶା ସହ ମିଜୋରାମ, ମଣିପୁର ଓ ସିକିମ୍ ରେ ମଧ୍ୟ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଚାରି ରାଜ୍ୟରେ ମୋଟ ୨୨,୫୫,୧୨୦ ଜଣଙ୍କ ନାମ ବାଦ୍ ପଡ଼ିଥିବାବେଳେ, ସେଥିରୁ କେବଳ ଓଡ଼ିଶାରେ ୨୦.୧୨ ଲକ୍ଷ ଭୋଟରଙ୍କ ନାମ ଚିଠା ତାଲିକାରେ ନାହିଁ। ତେବେ ଶତକଡ଼ା ହିସାବରେ ଓଡ଼ିଶାରେ ୬.୦୨% ଭୋଟରଙ୍କ ନାମ ବାଦ୍ ପଡ଼ିଥିବାବେଳେ ମଣିପୁରରେ ୭.୫%, ମିଜୋରାମରେ ୫.୨% ଏବଂ ସିକିମ୍ରେ ୮% ଭୋଟରଙ୍କ ନାମ ତାଲିକାରୁ ବାଦ୍ ହୋଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ମୋଟ ୩,୩୩,୯୯,୫୯୧ ଜଣ ଭୋଟର ଥିବାବେଳେ ସେଥିରୁ ୩,୧୩,୮୭,୦୩୪ ଜଣ (୯୩.୯୭%) ପରିଗଣନା ଫର୍ମ ଦାଖଲ କରିଛନ୍ତି। ଏହି ସମସ୍ତ ଭୋଟରଙ୍କ ନାମ ଚିଠା ତାଲିକାରେ ସ୍ଥାନ ପାଇଛି। ଏଥିରେ ୧,୬୦,୧୯,୧୭୬ ଜଣ ପୁରୁଷ, ୧,୫୩,୬୫,୦୮୩ ଜଣ ମହିଳା ଏବଂ ୨,୭୭୫ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି।
ଯେଉଁ ୨୦.୧୨ ଲକ୍ଷ ଭୋଟର ପରିଗଣନା ଫର୍ମ ଦାଖଲ କରିନାହାନ୍ତି, ସେମାନଙ୍କ ମଧ୍ୟରୁ ୮.୩୨ ଲକ୍ଷ (୨.୪୯%) ମୃତ ଭୋଟର ଭାବେ ଚିହ୍ନଟ ହୋଇଥିବାବେଳେ ୧୦.୦୭ ଲକ୍ଷ (୩.୦୨%) ସ୍ଥାନାନ୍ତରିତ କିମ୍ବା ଅନୁପସ୍ଥିତ ଭୋଟର ରହିଛନ୍ତି। ସେହିପରି ୧.୫୮ ଲକ୍ଷ (୦.୪୭%) ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ଥିବାରୁ ଡୁପ୍ଲିକେଟ୍ ଏଣ୍ଟ୍ରି ହଟାଯାଇଛି। ଅନ୍ୟପକ୍ଷରେ ୦.୧୪ ଲକ୍ଷ (୦.୦୪%) ଭୋଟରଙ୍କ ନାମ ଅନ୍ୟାନ୍ୟ କାରଣରୁ ବାଦ୍ ପଡ଼ିଛି।
ଭୋଟର ତାଲିକାରୁ ଯେଉଁମାନଙ୍କ ନାମ ବାଦ୍ ପଡ଼ିଛି, ସେମାନଙ୍କ ପାଇଁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ରହିଛି। ସମ୍ପୃକ୍ତ ଭୋଟରମାନେ ବୁଥ୍ ଲେଭେଲ୍ ଅଫିସର (BLO)ଙ୍କ ନିକଟରେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଆବେଦନ କରିପାରିବେ। ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ସେପ୍ଟେମ୍ବର ୨ ସୁଦ୍ଧା ଶେଷ କରାଯିବ ଏବଂ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ସିଇଓ ଆହୁରି କହିଛନ୍ତି ଯେ, ୧୯ ମେ ୨୦୨୬ ସୁଦ୍ଧା ଭୋଟର ତାଲିକାରେ ଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ଘରକୁ ଘର ବୁଲି ବିଏଲ୍ଓମାନେ ପରିଗଣନା ଫର୍ମ ବଣ୍ଟନ କରିଥିଲେ। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି, ସେଥିପାଇଁ ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ସନ୍ଧାନ ମିଳିନଥିବା କିମ୍ବା ଫର୍ମ ଦାଖଲ କରିନଥିବା ଭୋଟରଙ୍କ ବୁଥ୍ଭିତ୍ତିକ ତାଲିକାକୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ବୁଥ୍ସ୍ତରୀୟ ଏଜେଣ୍ଟଙ୍କୁ ଯାଞ୍ଚ ପାଇଁ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ଏହି ବୃହତ୍ ସଂଶୋଧନ ପ୍ରକ୍ରିୟାରେ ରାଜ୍ୟର ୩୦ଟି ଜିଲ୍ଲାର ୩୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ, ୧୪୭ ଜଣ ଇଆର୍ଓ, ୯୯୪ ଜଣ ଏଇଆର୍ଓ, ୪,୫୪୦ ଜଣ ବିଏଲ୍ଓ ସୁପରଭାଇଜର, ୪୫,୨୫୦ ଜଣ ବିଏଲ୍ଓ ଏବଂ ୭ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ୮୪,୫୯୪ ଜଣ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଥିଲେ।














Leave a Reply