ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ପୁଲିସ କମିଶନରେଟରେ ବଡ଼ ପ୍ରଶାସନିକ ପରିବର୍ତ୍ତନ। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ସୂଚନାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ସ୍ପଷ୍ଟ କରିଛନ୍ତି। ଡିଜିପିଙ୍କ କହିବା ଅନୁଯାୟୀ, ୨୦୧୩ ବ୍ୟାଚ୍ର IPS ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ନିଜ ପଦରୁ ପଦତ୍ୟାଗ କରିଛନ୍ତି। ଭୁବନେଶ୍ୱରରେ ଆଇନ-ଶୃଙ୍ଖଳା ପରିଚାଳନାର ଗୁରୁଦାୟିତ୍ୱ ବହନ କରୁଥିବା ଡିସିପି ଭାବେ ଜଗମୋହନ ମୀନା କାର୍ଯ୍ୟରତ ଥିଲେ। ତାଙ୍କ ଇସ୍ତଫା ପରେ ପୁଲିସ ଓ ପ୍ରଶାସନିକ ମହଳରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ତେବେ ଏହା ପଛରେ ଅନ୍ୟ କୌଣସି କାରଣ ନଥିବା ସ୍ପଷ୍ଟ କରି ଡିଜିପି କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ କାରଣରୁ ନିଆଯାଇଥିବା ନିଷ୍ପତ୍ତି।
ଜଗମୋହନ ମୀନାଙ୍କ ପୁଲିସ ସେବାର କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିଭାଇଛନ୍ତି। କଟକ ଡିସିପି, ଅନୁଗୁଳ ଏସ୍ପି ଏବଂ ଗଞ୍ଜାମ ଏସ୍ପି ଭାବେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ। ଭୁବନେଶ୍ୱର ଡିସିପି ଭାବେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଇନ-ଶୃଙ୍ଖଳା ପରିସ୍ଥିତିର ପରିଚାଳନାରେ ତାଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ଡିଜିପି ୱାଇ. ବି. ଖୁରାନିଆ ଆହୁରି ସୂଚନା ଦେଇଛନ୍ତି ଯେ, ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ସରକାରଙ୍କ ନିକଟକୁ ପଠାଯାଇଛି। ସରକାରଙ୍କ ପକ୍ଷରୁ ଏହା ଉପରେ ଆନୁଷ୍ଠାନିକ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ଏପରି ସମୟରେ ଜଗମୋହନ ମୀନା ଏକ ଘରୋଇ କମ୍ପାନିରେ ଯୋଗଦେଇପାରନ୍ତି ବୋଲି ପ୍ରଶାସନିକ ମହଳରେ ଚର୍ଚ୍ଚା ହେଉଛି। ତେବେ ଏନେଇ କୌଣସି ଆଧିକାରିକ ସୂଚନା କିମ୍ବା ପୁଷ୍ଟି ହୋଇନାହିଁ। ଏବେ ସମସ୍ତଙ୍କ ନଜର ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଓ ଭୁବନେଶ୍ୱର ଡିସିପି ପଦରେ କାହାକୁ ନିଯୁକ୍ତ କରାଯିବ, ତାହା ଉପରେ ରହିଛି।















Leave a Reply