ଅକ୍ଷର ବ୍ୟୁରୋ: ଅବପାତଜନିତ ଲଗାଣ ବର୍ଷାର ପ୍ରଭାବରେ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାଶରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତାର ମୂଷଳଧାରା ବର୍ଷା ଯୋଗୁଁ ପାହାଡ଼ରୁ ତୀବ୍ର ବେଗରେ ଜଳସ୍ରୋତ ଖସୁଥିବା ବେଳେ ସମ୍ପୂର୍ଣ୍ଣ ମନ୍ଦିର ପରିସର ଜଳମଗ୍ନ ହୋଇପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ବର୍ଷା ପାଣି ମନ୍ଦିର ଭିତରକୁ ମଧ୍ୟ ପ୍ରବେଶ କରିଥିବାରୁ ଭକ୍ତ ଓ ପ୍ରଶାସନର ଚିନ୍ତା ବଢ଼ିଯାଇଛି।
ପ୍ରବଳ ବର୍ଷା ଫଳରେ ପାହାଡ଼ିଆ ଝରଣା ଓ ନାଳଗୁଡ଼ିକ ଉଫାନ ମାରୁଥିବାରୁ କପିଳାଶ ପୀଠକୁ ଯିବା ମୁଖ୍ୟ ପାହାଞ୍ଚ ରାସ୍ତାକୁ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଭକ୍ତମାନଙ୍କୁ ପାହାଡ଼ ଉପରକୁ ନ ଯିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ପାହାଡ଼ରୁ ଅବିରତ ପାଣି ଖସୁଥିବାରୁ ଯେକୌଣସି ସମୟରେ ବିପଦ ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ଆଶଙ୍କା କରୁଛି। କେବଳ ମୁଖ୍ୟ ରାସ୍ତା ନୁହେଁ, ବିକଳ୍ପ ଭାବେ ବ୍ୟବହୃତ ବାରବାଙ୍କ ରାସ୍ତାରେ ମଧ୍ୟ ସ୍ଥିତି ସ୍ୱାଭାବିକ ନାହିଁ। ପ୍ରବଳ ଜଳସ୍ରୋତ ରାସ୍ତା ଉପରେ ବହୁଥିବାରୁ ଗାଡ଼ି ଚଳାଚଳ ବେଶ୍ ବିପଦପୂର୍ଣ୍ଣ ହୋଇପଡ଼ିଛି। ଫଳରେ କପିଳାଶକୁ ସମସ୍ତ ପ୍ରକାର ଯାତାୟାତ ପ୍ରାୟ ଠପ୍ ହୋଇଯାଇଛି।
ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ମନ୍ଦିର ପ୍ରଶାସନ ସତର୍କ ରହି ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ବର୍ଷାର ପ୍ରକୋପ କମିବା ଏବଂ ରାସ୍ତା ସୁରକ୍ଷିତ ହେବା ପରେ ସ୍ଥିତିର ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ସେପର୍ଯ୍ୟନ୍ତ ଅନାବଶ୍ୟକ ଭାବେ କପିଳାଶ ପୀଠକୁ ନ ଆସିବାକୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି। ଅବପାତ ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ କପିଳାଶର ଏହି ପରିସ୍ଥିତି ପ୍ରକୃତିର ରୁଦ୍ରରୂପକୁ ସାମ୍ନାକୁ ଆଣିଛି। ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପାଣି କମିବା ଓ ରାସ୍ତା ସ୍ୱାଭାବିକ ହେବା ପରେ ହିଁ କପିଳାଶକୁ ଯାତାୟାତ ପୁନଃ ଆରମ୍ଭ ହେବ।
















Leave a Reply