ବିପଦରେ ବୈତରଣୀ! ବେଆଇନ ବାଲି ଉତ୍ତୋଳନ ଓ ଗଛକଟା ବିରୋଧରେ ଆରମ୍ଭ ହେଲା ‘ବୈତରଣୀ ସୁରକ୍ଷା ଯାତ୍ରା’

ଅକ୍ଷର ବ୍ୟୁରୋ: କେନ୍ଦୁଝରରୁ ଯାଜପୁର ପର୍ଯ୍ୟନ୍ତ ପ୍ରବାହିତ ବୈତରଣୀ ନଦୀର ଅସ୍ତିତ୍ୱ ଏବେ ସଙ୍କଟରେ ପଡ଼ିଥିବା ଅଭିଯୋଗ ଉଠିଛି। ନଦୀରୁ ବେଆଇନ ଭାବେ ଟ୍ରିପ୍ ପରେ ଟ୍ରିପ୍ ବାଲି ଉତ୍ତୋଳନ ସହ ନଦୀକୂଳରେ ଶହଶହ ଗଛ କଟାଯାଉଥିବାକୁ ବିରୋଧ କରି ଆରମ୍ଭ ହୋଇଛି ‘ବୈତରଣୀ ସୁରକ୍ଷା ଯାତ୍ରା’। ନଦୀକୁ ସୁରକ୍ଷା ଦେବା ଓ ପରିବେଶ ସଂରକ୍ଷଣ ପାଇଁ ଏହି ପଦଯାତ୍ରାକୁ ସାମାଜିକ ସଂଗଠନ ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ, ଆନନ୍ଦପୁର ପକ୍ଷରୁ ଆରମ୍ଭ କରାଯାଇଛି।

ଏହି ପଦଯାତ୍ରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରୁ ଆରମ୍ଭ ହୋଇ ଭୁବନେଶ୍ୱରର ଲୋକସେବା ଭବନ ପର୍ଯ୍ୟନ୍ତ ଯିବ। ଯାତ୍ରା ମାଧ୍ୟମରେ ବୈତରଣୀ ନଦୀର ସୁରକ୍ଷା, ବେଆଇନ ବାଲି ଉତ୍ତୋଳନ ବନ୍ଦ, ଗଛକଟା ରୋକିବା ଏବଂ ନଦୀ ପରିବେଶର ସୁରକ୍ଷା ନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଛନ୍ତି।

ସଂଗଠନର ସୂଚନା ଅନୁଯାୟୀ, ଆସନ୍ତା ୯ ତାରିଖରେ ପଦଯାତ୍ରା ଭୁବନେଶ୍ୱରରେ ପହଞ୍ଚିବ। ସେହିଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ। ଦାବିପତ୍ରରେ ବୈତରଣୀ ନଦୀରେ ଚାଲିଥିବା ବେଆଇନ ବାଲି ଉତ୍ତୋଳନକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ନଦୀକୂଳରେ ହେଉଥିବା ଅବାଧ ଗଛକଟା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଏବଂ ନଦୀର ପରିବେଶ ଓ ଜୀବବୈଚିତ୍ର୍ୟର ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରାଯିବ।

ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ କହିଛନ୍ତି, ବୈତରଣୀ କେବଳ ଏକ ନଦୀ ନୁହେଁ, ବରଂ ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକାର ଆଧାର। ତେଣୁ ନଦୀର ଅସ୍ତିତ୍ୱ ରକ୍ଷା ପାଇଁ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)