ଅଣସର ଗୃହରେ ମହାପ୍ରଭୁ, ରଥଖଳାରେ ଚୂଡ଼ାନ୍ତ ପର୍ବ ! ୪୫୧ ବର୍ଷର ପରମ୍ପରାକୁ ନେଇ ଚଳଚଞ୍ଚଳ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା

ଅକ୍ଷର ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବର୍ତ୍ତମାନ ଅଣସର ଗୃହରେ ବିରାଜମାନ ଥିବା ବେଳେ, ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା। ଆଉ ମାତ୍ର କେଇଟି ଦିନର ଅପେକ୍ଷା। ସାରା ବିଶ୍ୱର କୋଟି କୋଟି ଭକ୍ତଙ୍କ ନଜର ଏବେ ରଥଯାତ୍ରା ଉପରେ, ଯେଉଁଦିନ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନସିଂହାସନ ଛାଡ଼ି ରଥାରୂଢ଼ ହେବେ।

ଐତିହାସିକ ବାରିପଦାରେ ୧୫୭୫ ମସିହାରୁ ଆରମ୍ଭ ହୋଇଥିବା ରଥଯାତ୍ରା ଚଳିତ ବର୍ଷ ୪୫୧ ବର୍ଷର ଗୌରବମୟ ପରମ୍ପରାକୁ ବହନ କରୁଛି। ଏହି କାରଣରୁ ବାରିପଦାକୁ ‘ଦ୍ୱିତୀୟ ଶ୍ରୀକ୍ଷେତ୍ର’ ଭାବେ ସମ୍ମାନର ସହ ଜଣାଯାଏ। ବର୍ତ୍ତମାନ ବଡ଼ଦାଣ୍ଡରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ, ଏହି ତିନୋଟି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାରମ୍ପରିକ ରଥ ମହାପାତ୍ର, ରଥ ମହାରଣା ଓ ସେବାୟତମାନେ ଦିନରାତି ନିଷ୍ଠାର ସହ ପରିଶ୍ରମ କରି ରଥଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେବାରେ ବ୍ୟସ୍ତ ରହିଛନ୍ତି।

ଅନ୍ୟପଟେ, ଅଣସର ଗୃହରେ ମହାପ୍ରଭୁଙ୍କ ଗୁପ୍ତ ନୀତି ଓ ସେବାକାର୍ଯ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି। ରଥଯାତ୍ରା ପୂର୍ବରୁ ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ସେବାୟତ ଓ କାରିଗରମାନେ ନିଜ ନିଜ ଦାୟିତ୍ୱ ସମ୍ପାଦନରେ ନିୟୋଜିତ ଅଛନ୍ତି।

ରଥ ନିର୍ମାଣର ଅଗ୍ରଗତି, ଅଣସର ନୀତିର ପରମ୍ପରା ଏବଂ ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ରଥ କାରିଗର ଓ ପୂଜାପଣ୍ଡାମାନଙ୍କ ସହ ଆଲୋଚନା ମାଧ୍ୟମରେ ଭକ୍ତମାନଙ୍କୁ ଏହି ଐତିହ୍ୟବାହୀ ପରମ୍ପରାର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଯାଉଛି। ରଥଯାତ୍ରାକୁ ନେଇ ବାରିପଦାରେ ଏବେ ଭକ୍ତି, ପରମ୍ପରା ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଥିବା ବେଳେ, ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)