ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବମକେଇ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ବଜ୍ରପାତରେ ଚାଲିଯାଇଛି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ। ମୃତକ ହେଉଛନ୍ତି ନାରାୟଣପାଟଣା ଗାଁର ରାଜେଶ ଗୌଡ। ରାଜେଶ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ରେଜଲ୍ଟ ବାହାରିବା ପୂର୍ବରୁ ବଜ୍ରପାତରେ ଚାଲିଗଲା ନିରୀହ ଛାତ୍ରର ଜୀବନ। ପାସ୍ କରି କଲେଜ ଯିବାକୁ କେତେ ସ୍ୱପ୍ନ ଦେଖିଥିଲେ। ହେଲେ ଦାଉ ସାଧିଲା ଦଇବ। ବଜ୍ରପାତରେ ଲିଭିଯାଇଛି ପିଲାଟିର ଜୀବନ ଦୀପ। ନିମିଷକରେ ପାଣି ଫୋଟକା ପରି ମିଳେଇଗଲା ସବୁ ସ୍ୱପ୍ନ।
ସୂଚନା ମୁତାବକ, ରାଜେଶ ଆଜି ବମକେଇରୁ ନାରାୟଣପୁର ଫେରୁଥିଲେ। ବମକେଇ-କୁମରଡ଼ା ରାସ୍ତାରେ ଯାଉଥିବା ବେଳେ ଆକାଶରୁ ଖସିଲା ବଜ୍ରପାତ। ସଙ୍ଗେ ସଙ୍ଗେ ରାଜେଶ ବଜ୍ରପାତର ଶିକାର ହୋଇ ସେଇଠି ହି ଗୁରୁତର ଅବସ୍ଥାରେ ପଡିଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ବମକେଇ ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ରାଜେଶଙ୍କ ପରିବାର ଲୋକେ ଭାଙ୍ଗିପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି ।












Leave a Reply