ଅକ୍ଷର ବ୍ୟୁରୋ: ରାଜ୍ୟର ବିଭିନ୍ନ ସହରରେ ବର୍ଷା ଜଳ ନିଷ୍କାସନ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ସାମାନ୍ୟ ଲଘୁଚାପଜନିତ ବର୍ଷାରେ ମଧ୍ୟ ସହରଗୁଡ଼ିକ ଜଳମଗ୍ନ ହେଉଥିବାରୁ ସାଧାରଣ ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରସଙ୍ଗ ବୈଠକରେ ଉଠିଛି।
କଟକ, ଭୁବନେଶ୍ୱର, ପୁରୀ ସମେତ ଅଧିକାଂଶ ସହରରେ ବର୍ଷା ଜଳର ସଠିକ ନିଷ୍କାସନ ହୋଇପାରୁନଥିବାରୁ ବାରମ୍ବାର ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି। ନିକଟରେ ଲଘୁଚାପଜନିତ ବର୍ଷା ସମୟରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ବର୍ଷା ପାଣିରେ ଭାସିଯାଇ ଏପର୍ଯ୍ୟନ୍ତ ନିଖୋଜ ଥିବା ଘଟଣା ମଧ୍ୟ ବୈଠକରେ ଚର୍ଚ୍ଚାର ବିଷୟ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ସହରଗୁଡ଼ିକ ପାଇଁ ବୈଜ୍ଞାନିକ ଢଙ୍ଗରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ଗଢ଼ି ତୋଳିବାକୁ ବିଧାୟକମାନେ ଏକ ସମନ୍ୱିତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ସ୍ୱେରେଜ୍ ବ୍ୟବସ୍ଥାର ସ୍ଥାୟୀ ସମାଧାନ କରିବା ସହ ସହରର ସମସ୍ତ ଡ୍ରେନ୍ର ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟେସନ୍ କରି ସଂରକ୍ଷଣ କରିବାକୁ ମଧ୍ୟ ଦାବି କରାଯାଇଛି।
କମିଟିର ଅଧ୍ୟକ୍ଷ ବାବୁ ସିଂହ କହିଛନ୍ତି, ବୈଠକରେ ବର୍ଷା ଜଳ ନିଷ୍କାସନ, ସ୍ୱେରେଜ୍ ବ୍ୟବସ୍ଥା ଓ ସହରାଞ୍ଚଳର ଡ୍ରେନେଜ୍ ସମସ୍ୟା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କୁ ଆବଶ୍ୟକୀୟ ପ୍ରସ୍ତାବ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।













Leave a Reply