ଶୁଖିଗଲା ଚାଷଜମି, ମଉଳିଲା ଚାଷୀଙ୍କ ଆଶା; ବର୍ଷା ଅଭାବରେ କୁଚିଣ୍ଡାରେ ଚିନ୍ତା ବଢ଼ିଲା

ଜୁନ ସରି ଜୁଲାଇ ଆସିଲେ ବି ପର୍ଯ୍ୟାପ୍ତ ବର୍ଷା ନାହିଁ; ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଭୋଜପୁର ଅଞ୍ଚଳରେ ଶୁଖିଗଲା ଜମି, ଏଲ୍‌ ନିନୋ ଆଶଙ୍କାରେ ଚାଷ ଆରମ୍ଭ କରିବାକୁ ଭୟ କରୁଛନ୍ତି ଚାଷୀ।

ଅକ୍ଷର ବ୍ୟୁରୋ: ଜୁନ ମାସ ସରି ଜୁଲାଇ ମଧ୍ୟଭାଗ ଆସିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନହେବାରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢ଼ିଛି। ଲଘୁଚାପ ପ୍ରଭାବରେ କେବଳ ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ତାହା ଚାଷ ପାଇଁ ପର୍ଯ୍ୟାପ୍ତ ହୋଇନାହିଁ। ଫଳରେ କୁଚିଣ୍ଡା ବ୍ଲକର ଭୋଜପୁର ଅଞ୍ଚଳର ଅଧିକାଂଶ ଚାଷଜମି ପୁଣି ଶୁଖିଯାଇଛି।

ଦୁଇ ଦିନ ତଳେ ଜମିରେ ପାଣି ଦେଖି ଚାଷ କାମ ଆରମ୍ଭ କରିବାକୁ ଆଶା ବାନ୍ଧିଥିବା ଚାଷୀମାନେ ଏବେ ନିରାଶ ହୋଇପଡ଼ିଛନ୍ତି। ପାଣି ଅଭାବରେ ଜମି ଫାଟି ଆଁ କରିଥିବାବେଳେ ଆକାଶରେ ମେଘ ଭାସୁଥିଲେ ମଧ୍ୟ ବର୍ଷା ହେଉନାହିଁ। ଅନ୍ୟପଟେ ତୀବ୍ର ଖରା ଯୋଗୁଁ ମାଟିର ଆର୍ଦ୍ରତା ମଧ୍ୟ ଶୀଘ୍ର କମିଯାଉଛି।

ଏଭଳି ପରିସ୍ଥିତିରେ ଧାନ ଚାଷ ଆରମ୍ଭ କରିବାକୁ ଚାଷୀମାନେ ସାହସ କରିପାରୁନାହାନ୍ତି। ପର୍ଯ୍ୟାପ୍ତ ବର୍ଷା ନହେଲେ ବିହନ ଓ ଚାଷ ଖର୍ଚ୍ଚ ବ୍ୟର୍ଥ ହୋଇଯିବ ବୋଲି ସେମାନଙ୍କ ଆଶଙ୍କା। ଏହାସହ ଚଳିତ ବର୍ଷ ଏଲ୍‌ ନିନୋ (El Niño) ପ୍ରଭାବକୁ ନେଇ ଥିବା ଆଶଙ୍କା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଠିକ୍ ସମୟରେ ବର୍ଷା ନହେଲେ ଖରିଫ ଚାଷ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଚାଷୀମାନେ କହୁଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)