ମାଣିଆବନ୍ଧ ଗୁଳିକାଣ୍ଡରେ ପୁଲିସର ବଡ଼ ସଫଳତା; ଶୁଟର୍ ସମେତ ୩ ଅଭିଯୁକ୍ତ ଗିରଫ, ଖୋଲୁଛି ଷଡ଼ଯନ୍ତ୍ରର ଗୁମର

ଅକ୍ଷର ବ୍ୟୁରୋ: ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ହୋଇଥିବା ଚର୍ଚ୍ଚିତ ଗୁଳିମାଡ଼ ଘଟଣାରେ ପୁଲିସ ବଡ଼ ସଫଳତା ହାସଲ କରିଛି। ଏହି ମାମଲାରେ ଗୁଳି ଚଳାଇଥିବା ମୁଖ୍ୟ ଶୁଟର୍, ଘଟଣାର ଷଡ଼ଯନ୍ତ୍ରକାରୀ ଏବଂ ଜଣେ ସହଯୋଗୀଙ୍କୁ ମିଶାଇ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନଙ୍କୁ ଏକ ଗୁପ୍ତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତା ଓ ପତିଆରକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଜିଲ୍ଲା ବାହାରର କିଛି ଅପରାଧୀଙ୍କୁ ନିୟୋଜିତ କରାଯାଇଥିବା ବେଳେ, ସେହି ସୂତ୍ର ଧରି ପୁଲିସ ୩ ଜଣଙ୍କୁ କାବୁ କରିଛି।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ଦୁଇଟି ଗାଡ଼ିରେ ଆସିଥିବା କିଛି ଦୁର୍ବୃତ୍ତ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଏବଂ ପୁଲିସ ବ୍ୟାପକ ତଦନ୍ତ ଆରମ୍ଭ କରିଥିଲା।

ତେବେ ମାମଲାରେ ୩ ଜଣ ଗିରଫ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ଆଉ କିଛି ଅଭିଯୁକ୍ତ ଫେରାର ରହିଛନ୍ତି। ସେହିପରି ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଏପର୍ଯ୍ୟନ୍ତ ଜବତ ହୋଇନଥିବାରୁ ପୁଲିସର ତଦନ୍ତ ଜାରି ରହିଛି। ୩ ଅଭିଯୁକ୍ତଙ୍କ ଗିରଫ ପରେ ଗୁଳିକାଣ୍ଡ ପଛରେ ଥିବା ଷଡ଼ଯନ୍ତ୍ରର ଅନେକ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ, ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ କେବେ ଗିରଫ କରାଯିବ ଏବଂ ବ୍ୟବହୃତ ବନ୍ଧୁକ କେବେ ଜବତ ହେବ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)