ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି; ୩.୧୭ ଲକ୍ଷ ନୂଆ ଆବେଦନ, ଜୁଲାଇ ୨୫ ସୁଦ୍ଧା ଯାଞ୍ଚ ରିପୋର୍ଟ ନିର୍ଦ୍ଦେଶ

ଅକ୍ଷର ବ୍ୟୁରୋ: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓସିଏସି (OCAC)ର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଟଙ୍କା ବିତରଣ ପ୍ରକ୍ରିୟା, ଯାଞ୍ଚ ଏବଂ ବ୍ୟାଙ୍କ ସମନ୍ୱୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ୩ ଲକ୍ଷ ୧୭ ହଜାର ୯୬୬ଟି ନୂଆ ଆବେଦନ ଆସିଥିବା ବେଳେ, ସେଗୁଡ଼ିକର ଯାଞ୍ଚ ଓ ଅନୁମୋଦନକୁ ତ୍ୱରାନ୍ୱିତ କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନ ଡିବିଟି ସକ୍ରିୟକରଣ, ଇ-କେୱାଇସି, ବାୟୋମେଟ୍ରିକ୍ ଯାଞ୍ଚ, ଫିଲ୍ଡ ଭେରିଫିକେସନ୍ ଓ ବ୍ୟାଙ୍କ ସମନ୍ୱୟ ଭଳି ପ୍ରକ୍ରିୟାରେ କିଛି ସମସ୍ୟା ଥିବାରୁ ସେଗୁଡ଼ିକୁ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମୀକ୍ଷା ବୈଠକରେ ୮୨ ହଜାର ୩୬ଟି ଡିବିଟି ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍ ଓ ଇ-କେୱାଇସି, ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଯାଞ୍ଚ ସମ୍ବନ୍ଧୀୟ ମାମଲା ତୁରନ୍ତ ସମାପ୍ତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।

ଏଥିପାଇଁ ବ୍ଲକ କମିଟି ଫିଲ୍ଡ ତଦନ୍ତ ରିପୋର୍ଟ ଜିଲ୍ଲା କମିଟିକୁ ଦେବେ ଏବଂ ଜିଲ୍ଲା କମିଟି ଜୁଲାଇ ୨୫ ସୁଦ୍ଧା ରାଜ୍ୟ କମିଟିକୁ ରିପୋର୍ଟ ପ୍ରଦାନ କରିବେ। ସେହିପରି, ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ବାୟୋମେଟ୍ରିକ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନଙ୍କ ତାଲିକା ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ଥିବା ସୂଚନା ମିଳିଛି। ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ସମସ୍ତ ଯାଞ୍ଚ ଓ ପ୍ରକ୍ରିୟା ଶେଷ କରି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ସମୟମତେ ୫ମ କିସ୍ତି ପହଞ୍ଚାଇବା ପାଇଁ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)