ଜାତୀୟ ରାଜପଥ-୧୪୯ରେ ଭୟଙ୍କର ଦୁର୍ଘଟଣା: ହାଇୱା-ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, ଚାଳକଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ-୧୪୯ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସମଲ ଥାନା ଅଧୀନ ସରଧାପୁର ନିକଟରେ ଏକ ହାଇୱା ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକଟିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।

ସୂଚନା ଅନୁଯାୟୀ, କଣିହାଁ ବ୍ଲକ ବୁରୁକୁନା ପଞ୍ଚାୟତ ଅନ୍ତର୍ଗତ ସରଧାପୁର ନିକଟରେ ଦୁଇ ଭାରୀଯାନ ମଧ୍ୟରେ ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରକରେ ସଙ୍ଗେସଙ୍ଗେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଟ୍ରକଟି ରାସ୍ତା ଉପରେ ହୁ ହୁ ହୋଇ ଜଳିବାକୁ ଲାଗିଥିଲା, ଯାହାଫଳରେ ସେହି ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ସମଲ ଥାନା ପୋଲିସ, କଣିହାଁ ଓ ପାଲଲହଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଜାତୀୟ ରାଜପଥ-୧୪୯ରେ କିଛି ସମୟ ପାଇଁ ଯାତାୟାତ ଠପ୍ ହୋଇଯାଇଥିଲା। ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ମୃତକ ଟ୍ରକ ଚାଳକ ଏବଂ ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମଲ ଥାନା ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)