୯ ଦିନ ପରେ ମିଳିଲେ ନିଖୋଜ ୧୫ ମତ୍ସ୍ୟଜୀବୀ; ସମୁଦ୍ରରେ ଅଟକିଥିଲା ‘ମାଆକାଳୀ’ ଟ୍ରଲର, ସମସ୍ତେ ସୁରକ୍ଷିତ

ଅକ୍ଷର ବ୍ୟୁରୋ: ଦୀର୍ଘ ୯ ଦିନର ଅନିଶ୍ଚିତତା ଓ ଉଦ୍‌ବେଗ ପରେ ଶେଷରେ ମିଳିଛି ସ୍ୱସ୍ତିର ଖବର। ଗତ ଜୁଲାଇ ୨ ତାରିଖରୁ ନିଖୋଜ ଥିବା ‘ମାଆକାଳୀ’ ଟ୍ରଲରରେ ଥିବା ସମସ୍ତ ୧୫ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା** ସୂଚନା ମିଳିଛି। ସେମାନଙ୍କ ସୁରକ୍ଷିତ ଥିବା ଖବର ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ଆଶ୍ୱସ୍ତି ଫେରିଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ‘ମାଆକାଳୀ’ ନାମକ ଟ୍ରଲରରେ ୧୫ ଜଣ ମତ୍ସ୍ୟଜୀବୀ ଇଲିଶି ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିଲେ। କିନ୍ତୁ ଜୁଲାଇ ୩ ତାରିଖରେ ସାମୁଦ୍ରିକ ଝଡ଼ ସତର୍କତା ପରେ ଅନ୍ୟ ଟ୍ରଲରଗୁଡ଼ିକ କୂଳକୁ ଫେରିଥିବାବେଳେ, ‘ମାଆକାଳୀ’ ଟ୍ରଲର ସହ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ସେମାନଙ୍କୁ ନେଇ ବଢ଼ିଥିଲା ଚିନ୍ତା।

ପରେ ଜଣାପଡ଼ିଥିଲା ଯେ, ଟ୍ରଲରଟି ପଶ୍ଚିମବଙ୍ଗର କାକଦ୍ୱୀପ ନିକଟରେ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ଚଢ଼ରେ ଲାଗି ଅଟକି ଯାଇଥିଲା। ଏହି କାରଣରୁ ଟ୍ରଲରର ସମସ୍ତ ଯୋଗାଯୋଗ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା ଏବଂ ବାହ୍ୟ ଜଗତ ସହ ସମ୍ପର୍କ ଛିନ୍ନ ହୋଇଥିଲା। ୯ ଦିନ ଧରି କୌଣସି ଖବର ନ ମିଳିବାରୁ ମତ୍ସ୍ୟଜୀବୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟ, ଅନିଶ୍ଚିତତା ଓ ଉଦ୍‌ବେଗର ପରିବେଶ ସୃଷ୍ଟି ହୋଇଥିଲା। ତେବେ ଏବେ ଟ୍ରଲରରେ ଥିବା ସମସ୍ତ ୧୫ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ନିଶ୍ଚିତ ହେବା ପରେ ପରିବାର ସଦସ୍ୟମାନେ ଆଶ୍ୱସ୍ତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୩ ତାରିଖରେ ପାଣିପାଗ ବିଭାଗ ସମୁଦ୍ରରେ ସାମୁଦ୍ରିକ ଝଡ଼କୁ ନେଇ ସତର୍କ ସୂଚନା ଜାରି କରି ସମସ୍ତ ଟ୍ରଲରକୁ ତୁରନ୍ତ କୂଳକୁ ଫେରିଆସିବାକୁ ପରାମର୍ଶ ଦେଇଥିଲା। ଅଧିକାଂଶ ଟ୍ରଲର ଫେରିଥିଲେ ମଧ୍ୟ ‘ମାଆକାଳୀ’ ଟ୍ରଲର ଫେରିନଥିବାରୁ ନିଖୋଜ ଆଶଙ୍କା ସୃଷ୍ଟି ହୋଇଥିଲା। ଶେଷରେ ୯ ଦିନ ପରେ ମିଳିଥିବା ଏହି ଖବର ସମସ୍ତଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)