ପାଠ୍ୟପୁସ୍ତକ ଭୁଲ୍ ମାମଲାରେ କ୍ରାଇମବ୍ରାଞ୍ଚ ଆକ୍ସନ୍; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହେବ ଅପରାଧିକ ତଦନ୍ତ

ଅକ୍ଷର ବ୍ୟୁରୋ: ରାଜ୍ୟର ପିଲାମାନଙ୍କ ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି ଓ ଭୁଲ୍ ମୁଦ୍ରଣକୁ ନେଇ ଉପୁଜିଥିବା ବିବାଦ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଘଟଣାର ସମସ୍ତ ଦିଗକୁ ନେଇ ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କରାଯିବ।

ସୂଚନାନୁସାରେ, ପାଠ୍ୟପୁସ୍ତକରେ ଥିବା ଗୁରୁତର ଭୁଲ୍ ପ୍ରଥମେ ଗତ ମେ ମାସରେ ସାମ୍ନାକୁ ଆସିଥିଲା। ତେବେ ସେହି ସମୟରେ ଏହି ଘଟଣାକୁ ନେଇ କୌଣସି ଅପରାଧିକ ମାମଲା ରୁଜୁ କରାଯାଇନଥିଲା। ଭୁଲ୍ ପ୍ରକାଶ ପାଇବା ପରେ ସରକାର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଲମ୍ବନ କରିବା ସହ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ। କମିଟିର ତଦନ୍ତ ରିପୋର୍ଟରେ ସରକାରଙ୍କ ସହ ଠକେଇ ହୋଇଥିବା ଏବଂ ଏହା ଫଳରେ ସରକାରଙ୍କ ଆର୍ଥିକ କ୍ଷତି ହୋଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିବାରୁ ଘଟଣାର ଅପରାଧିକ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ SCERTକୁ ଘଟଣା ସମ୍ପର୍କରେ ଏଫ୍‌ଆଇଆର୍ ରୁଜୁ କରିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଫ୍‌ଆଇଆର୍ ରୁଜୁ ହେବା ପରେ କ୍ରାଇମବ୍ରାଞ୍ଚ ଘଟଣାର ଅପରାଧିକ ଦିଗ, ଦାୟୀ ବ୍ୟକ୍ତି, ଠକେଇର ପ୍ରକ୍ରିୟା ଏବଂ ସରକାରଙ୍କ ହୋଇଥିବା ଆର୍ଥିକ କ୍ଷତିର ସମ୍ପୂର୍ଣ୍ଣ ତଦନ୍ତ କରିବ। ରାଜ୍ୟର ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଏହି ସମ୍ବେଦନଶୀଳ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)