ଅକ୍ଷର ବ୍ୟୁରୋ: ଲଗାଣ ବର୍ଷାରୁ ଏପର୍ଯ୍ୟନ୍ତ ନିସ୍ତାର ମିଳିନଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ପୁଣି ଲଘୁଚାପ ଚିନ୍ତା ବଢ଼ାଇଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, ଆସନ୍ତା ୧୫ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୮ ଜିଲ୍ଲା ପାଇଁ ବର୍ଷା ଓ ବଜ୍ରପାତ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ୧୩ ତାରିଖରୁ ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି କୁହାଯାଇଛି।
ପୂର୍ବାନୁମାନ ଅନୁଯାୟୀ, ସୋମବାର ୨୦ ଜିଲ୍ଲା ଏବଂ ମଙ୍ଗଳବାର ୧୯ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ କରି ୧୭ରୁ ୨୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଲଗାଣ ବର୍ଷା ଯୋଗୁଁ କୃଷି କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଲଗାତାର ବର୍ଷା କାରଣରୁ ଧାନ ତଳି ପକାଇବା କାମ ଆହୁରି ପ୍ରାୟ ୧୦ ଦିନ ବିଳମ୍ବ ହୋଇପାରେ ବୋଲି କୃଷି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସେପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏଲ୍-ନିନୋ ପ୍ରଭାବ ଯୋଗୁଁ ଚଳିତ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ବର୍ଷା କମ୍ ହୋଇପାରେ। ଏହାର ସିଧାସଳଖ ପ୍ରଭାବ ଧାନ ଅମଳ ଉପରେ ପଡ଼ିବା ସମ୍ଭାବନା ଥିବାରୁ ଚାଷୀମାନଙ୍କୁ ମଧ୍ୟମ ଅବଧିର ଅର୍ଥାତ୍ ପ୍ରାୟ ୧୦୦ ଦିନିଆ ଧାନ କିସମ ଚାଷ କରିବାକୁ ପରାମର୍ଶ ଦିଆଯାଇଛି। ଲଗାଣ ବର୍ଷା ଓ ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ସତର୍କ ରହିବା ସହ କୃଷି ବିଭାଗର ପରାମର୍ଶ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।
















Leave a Reply