କୋଣାର୍କରେ ଦିନଦ୍ୱିପ୍ରହରରେ ବୋମାମାଡ଼; ୮ ଘଣ୍ଟାରେ ଜଙ୍ଗଲରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅର୍କକ୍ଷେତ୍ର କୋଣାର୍କରେ ଦିନଦ୍ୱିପ୍ରହରରେ ବୋମାମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ପବିତ୍ର ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏଭଳି ଘଟଣାକୁ ନେଇ ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି। ତେବେ ଘଟଣାର ମାତ୍ର ୮ ଘଣ୍ଟା ମଧ୍ୟରେ କୋଣାର୍କ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ତ୍ୱରିତ ପଦକ୍ଷେପ ନେଇଛି।

ସୂଚନାନୁସାରେ, କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ନୂତନ ବିଦେଶୀ ମଦ ଦୋକାନ ଉପରକୁ ଦୁର୍ବୃତ୍ତମାନେ ପରପରି ୨ଟି ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବିସ୍ଫୋରଣରେ ଦୋକାନର ସାମ୍ନା ଅଂଶ ଭାଙ୍ଗି ଚୂରମାର ହୋଇଯାଇଥିବା ବେଳେ ଘଟଣା ସମୟରେ ସେଠାରେ ଥିବା ଗ୍ରାହକ ଓ କର୍ମଚାରୀମାନେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ଘଟିନଥିବା ଜଣାପଡ଼ିଛି।

ଘଟଣାର ଖବର ପାଇବା ପରେ ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା। ଟିମ୍‌ଟି ତୁରନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା। ବ୍ୟାପକ ଖୋଜାଖୋଜି ପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ସାହିଲ ପଣ୍ଡାଙ୍କୁ କୁରୁଜଙ୍ଗ ଜଙ୍ଗଲରୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି।

ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ପଛର କାରଣ, ବୋମାମାଡ଼ରେ ଆଉ କେହି ସମ୍ପୃକ୍ତ ଥିଲେ କି ନାହିଁ ଏବଂ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରଖିଛି। ରଥଯାତ୍ରା ପୂର୍ବରୁ କୋଣାର୍କ ଭଳି ସମ୍ବେଦନଶୀଳ ପର୍ଯ୍ୟଟନ ଅଞ୍ଚଳରେ ଘଟିଥିବା ଏହି ବୋମାମାଡ଼ ଘଟଣାକୁ ପୁଲିସ ଗୁରୁତ୍ୱର ସହ ନେଇ ତଦନ୍ତ ଆଗକୁ ବଢ଼ାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial