ଅନୁଗୋଳରେ ଜଙ୍ଗଲୀ ବାରହାର ଆକ୍ରମଣ; ଗାଁ ଭିତରେ ପଶି ୩ ଜଣଙ୍କୁ ଗୁରୁତର ଆହତ କଲା ବଣୁଆ ବରାହ

ଅକ୍ଷର ବ୍ୟୁରୋ: ଅନୁଗୋଳ ଜିଲ୍ଲାରେ ବନ୍ୟଜନ୍ତୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ ଅନ୍ତର୍ଗତ ଜାମୁଗାଡ଼ିଆ ସିନ୍ଦିରି ସାହିରେ ଏକ ଜଙ୍ଗଲୀ ବାରହା ଗାଁ ଭିତରକୁ ପଶି ଲୋକଙ୍କ ଉପରେ ଆକ୍ରମଣ କରିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ଆହତମାନେ ହେଲେ ସରୋଜିନୀ ସାମଲ, ମଣ୍ଟୁ ସାମଲ ଏବଂ କୃଷ୍ଣ ନାଏକ। ସୂଚନା ଅନୁସାରେ, ହଠାତ୍ ଜଙ୍ଗଲୀ ବାରହାଟି ଗାଁ ଭିତରକୁ ପଶି ଲୋକଙ୍କ ଉପରେ ଆକ୍ରମଣ କରିଥିଲା। ଅପ୍ରତ୍ୟାଶିତ ଆକ୍ରମଣରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ପ୍ରାଣ ବଞ୍ଚାଇବା ପାଇଁ ଲୋକେ ଏଣେତେଣେ ଦୌଡ଼ି ପଳାଇଥିଲେ। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ତିନିଜଣଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ ଦିନ ହେଉ କି ରାତି, ବନ୍ୟଜନ୍ତୁଙ୍କ ଅବାଧ ଚଳପ୍ରଚଳ ଜାରି ରହିଛି। ସନ୍ଧ୍ୟା ହେଲେ ଭୟରେ ଲୋକେ ଘରୁ ବାହାରିବାକୁ ସାହସ କରୁନାହାନ୍ତି। ବାରମ୍ବାର ବଣୁଆ ବାରହା ଓ ଅନ୍ୟ ବନ୍ୟଜନ୍ତୁ ଗାଁ ଭିତରକୁ ପଶୁଥିବାରୁ ସୁରକ୍ଷାକୁ ନେଇ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଚାଲିଛି। ଗ୍ରାମବାସୀ ବନ ବିଭାଗକୁ ତୁରନ୍ତ ପଦକ୍ଷେପ ନେବା, ବନ୍ୟଜନ୍ତୁଙ୍କ ଗତିବିଧି ଉପରେ କଡ଼ା ନଜରଦାରି କରିବା ଏବଂ ଗାଁର ସୁରକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଲଗାତାର ବନ୍ୟଜନ୍ତୁ ଉପଦ୍ରବକୁ ନେଇ ଏହି ଅଞ୍ଚଳରେ ଭୟ ଓ ଅନିଶ୍ଚିତତାର ପରିବେଶ ଲାଗି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial