ଅକ୍ଷର ବ୍ୟୁରୋ: ଗଞ୍ଜାମ ଓ ଛତ୍ରପୁର ରେଳ ଷ୍ଟେସନ୍ ମଧ୍ୟରେ ରେଳ ଲାଇନ୍ରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ, ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି। ଘଟଣାକୁ ନେଇ ରେଳବିଭାଗ ଓ ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ଗଞ୍ଜାମ ଓ ଛତ୍ରପୁର ରେଳ ଷ୍ଟେସନ୍ ମଧ୍ୟରେ ଅପ୍ ଲାଇନ୍ର ୫୭୬/୩୩–୩୫ କିଲୋମିଟର ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଖବର ମିଳିଥିଲା। ଖବର ପାଇ ରେଳ ସୁରକ୍ଷା ବଳ (RPF), ଜିଆରପି ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ମୃତଦେହକୁ ଜବତ କରି ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା। ତଦନ୍ତ ବେଳେ ମୃତ ଯୁବତୀଙ୍କ ପରିଚୟ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବିକ୍ରମ କିଶୋର ସାହୁଙ୍କ ୨୦ ବର୍ଷୀୟା ଝିଅ କୋମଳ କିରଣ ସାହୁ ଭାବେ ହୋଇଛି। ମୃତଦେହକୁ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଏହି ଘଟଣାରେ ବ୍ରହ୍ମପୁର ଜିଆରପି ୟୁଡି କେସ୍ ନମ୍ବର ୪୮/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ଟ୍ରେନ୍ ଦୁର୍ଘଟଣାର ପରିଣାମ କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ୍ ସମସ୍ତ ଦିଗରୁ ତଦନ୍ତ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଏବଂ ଫରେନସିକ୍ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଅଧିକାରୀମାନେ କହିଛନ୍ତି।















Leave a Reply