ଓଡ଼ିଶା ବନ୍ୟାର ବଡ଼ ଚିତ୍ର: ୨୨ ଜିଲ୍ଲାରେ ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ; ୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ସର୍ଭେ ଓ କ୍ଷତିପୂରଣ ନିର୍ଦ୍ଦେଶ

ଅକ୍ଷର ବ୍ୟୁରୋ: ଚଳିତ ବନ୍ୟା ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ରାଜ୍ୟର ୨୨ଟି ଜିଲ୍ଲାରେ ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାର ଅନେକ ଅଞ୍ଚଳ ମଧ୍ୟ ବନ୍ୟା ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପରିସ୍ଥିତିର ସମୀକ୍ଷା ପରେ ରାଜ୍ୟ ସରକାର କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ବନ୍ୟାଜଳ ଛାଡ଼ିବ, ସେଠାରେ ୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ସର୍ଭେ ରିପୋର୍ଟ ଦାଖଲ କରିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଆଜିଠାରୁ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ରାଜସ୍ୱ ବିଭାଗର ଅଧିକାରୀମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସର୍ଭେ କରିବେ ଓ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

ଗାଁ ଗାଁ ବୁଲି ରେଭେନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)ମାନେ ଭାଙ୍ଗିଯାଇଥିବା ଘରର ତାଲିକା ପ୍ରସ୍ତୁତ କରିବେ। ସେହିପରି ଫସଲ ଓ ପନିପରିବା କ୍ଷୟକ୍ଷତିର ସଠିକ୍ ଆକଳନ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ପ୍ରଭାବିତ ଚାଷୀମାନେ ଶୀଘ୍ର କ୍ଷତିପୂରଣ ପାଇପାରିବେ। ଅନ୍ୟପକ୍ଷରେ ବନ୍ୟା ପରବର୍ତ୍ତୀ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଜୋରଦାର କାର୍ଯ୍ୟ ଆରମ୍ଭ ହୋଇଛି। ଜଳସମ୍ପଦ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳର ନଳକୂଅଗୁଡ଼ିକୁ ସଂକ୍ରମଣମୁକ୍ତ କରିବା କାର୍ଯ୍ୟ ଚାଲିଛି। ସେହିପରି ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ମରାମତି କରିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟାରେ ପାଣି ପଶିଥିବା ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ଓ ଶିକ୍ଷାନୁଷ୍ଠାନର ମରାମତି ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ। ସମ୍ପୃକ୍ତ ବିଭାଗର ରିପୋର୍ଟ ଆଧାରରେ ଭବିଷ୍ୟତରେ ଏହି ପ୍ରତିଷ୍ଠାନଗୁଡ଼ିକରେ ବନ୍ୟାଜଳ ନ ପଶିବା ପାଇଁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହାବ୍ୟତୀତ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅନେକ ରାସ୍ତା ବନ୍ୟାରେ ଧୋଇଯାଇଥିବାରୁ ସେଗୁଡ଼ିକର ଜରୁରୀ ମରାମତି କରାଯିବ। ସେହିପରି ଶକ୍ତି ବିଭାଗର ବିଭିନ୍ନ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ସେଗୁଡ଼ିକୁ ଶୀଘ୍ର ମରାମତି କରି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ବନ୍ୟା ପ୍ରଭାବିତ କୌଣସି ପରିବାର ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କ୍ଷୟକ୍ଷତିର ଆକଳନ, କ୍ଷତିପୂରଣ ପ୍ରଦାନ ଓ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial