ଦୁର୍ବଳ ହେଉଛି ମୌସୁମୀ, ବଢ଼ୁଛି ବଜ୍ରପାତର ଭୟ; ଓଡ଼ିଶାରେ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଅକ୍ଷର ବ୍ୟୁରୋ: ରାଜ୍ୟ ଉପରେ ମୌସୁମୀ ପ୍ରବାହ ଦୁର୍ବଳ ହେବା ସହ ଓଡ଼ିଶାରେ ବଜ୍ରପାତ ଓ ବିଜୁଳି ଘଡ଼ଘଡ଼ିର ପ୍ରଭାବ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପ୍ରବଳ ବର୍ଷା, ବଜ୍ରପାତ ଓ ଦମକା ପବନକୁ ନେଇ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଦମକା ପବନ ବହିବାର ସମ୍ଭାବନା ରହିଛି। ସେହିପରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଭଲ ବର୍ଷା ରେକର୍ଡ ହୋଇଛି। ଢେଙ୍କାନାଳ ଜିଲ୍ଲାର ଆଲଟୁମାରେ ସର୍ବାଧିକ ୧୦୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ କାମାକ୍ଷାନଗରରେ ୮୫.୩ ମିଲିମିଟର, ମୟୂରଭଞ୍ଜର ମୁରୁଡ଼ାରେ ୮୪ ମିଲିମିଟର, ବେତନଟିରେ ୬୫ ମିଲିମିଟର, ଗଞ୍ଜାମର ଶେରଗଡ଼ରେ ୬୮ ମିଲିମିଟର ଏବଂ କେନ୍ଦୁଝରର ବାଂଶପାଳରେ ୫୨.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ କହିଛି, ମୌସୁମୀ ପ୍ରବାହ ଦୁର୍ବଳ ଥିବାରୁ ବ୍ୟାପକ ବର୍ଷା ପରିବର୍ତ୍ତେ ବଜ୍ରପାତ, ବିଜୁଳି ଘଡ଼ଘଡ଼ି ଓ ସ୍ଥାନୀୟ ପ୍ରବଳ ବର୍ଷାର ପ୍ରଭାବ ଅଧିକ ରହିବ। ତେଣୁ ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନ ନେବା, ଖୋଲା ସ୍ଥାନରୁ ଦୂରେ ରହିବା ଏବଂ ପାଣିପାଗ ବିଭାଗର ସତର୍କ ସୂଚନାକୁ ଅନୁସରଣ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial