MKCG ପିଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚ ଏଣ୍ଟ୍ରି; ଗଠନ ହେବ ସ୍ୱତନ୍ତ୍ର SIT, ଖୋଲିବ ଲିକ୍‌ର ଗୁମର!

ଅକ୍ଷର ବ୍ୟୁରୋ: ଏମ୍‌କେସିଜି (MKCG) ମେଡିକାଲ କଲେଜର ପିଜି ଶେଷ ବର୍ଷ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଚର୍ଚ୍ଚିତ ପାଲଟିଥିବା ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଦାୟିତ୍ୱ ଏବେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପ୍ରଶ୍ନପତ୍ର କିପରି ଲିକ୍‌ ହେଲା, କିଏ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କଲା ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ତାହାର ଖୋଳତାଡ଼ ଏବେ କ୍ରାଇମବ୍ରାଞ୍ଚ କରିବ। କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁସାରେ, ଏହି ମାମଲାର ତଦନ୍ତ ପାଇଁ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯିବ। ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ତଥ୍ୟ ସଂଗ୍ରହ, ଡିଜିଟାଲ ପ୍ରମାଣ ଯାଞ୍ଚ ଏବଂ ଘଟଣାର ସମସ୍ତ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ତଦନ୍ତ ଶେଷ ହେବା ପରେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି।

ସୂଚନା ଅନୁଯାୟୀ, ଗତ ଜୁଲାଇ ୨୧ ତାରିଖରୁ MKCG ମେଡିକାଲ କଲେଜରେ ପିଜି ଶେଷ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିଲା। ପରୀକ୍ଷା ଚାଲିଥିବା ସମୟରେ ଜୁଲାଇ ୨୭ ତାରିଖରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଶିକ୍ଷା ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଘଟଣା ପରେ MKCG କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଥିଲେ। କିନ୍ତୁ ମାମଲାର ଗମ୍ଭୀରତା, ସମ୍ବେଦନଶୀଳତା ଏବଂ ଏହାର ବ୍ୟାପକ ପ୍ରଭାବକୁ ଦୃଷ୍ଟିରେ ରଖି ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି—ପ୍ରଶ୍ନପତ୍ର କିପରି ପରୀକ୍ଷା କେନ୍ଦ୍ରରୁ ବାହାରକୁ ଆସିଲା? ଏହି ଲିକ୍‌ ପଛରେ କଲେଜର କୌଣସି କର୍ମଚାରୀ, ପରୀକ୍ଷା ପରିଚାଳନା ସହ ଜଡିତ ବ୍ୟକ୍ତି କିମ୍ବା ବାହାରର କୌଣସି ଚକ୍ରର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ କ୍ରାଇମବ୍ରାଞ୍ଚ ସମସ୍ତ ଦିଗରୁ ତଦନ୍ତ କରିବ। ରାଜ୍ୟର ମେଡିକାଲ ଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ସହ ଜଡିତ ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରିବା ଏବେ କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial