ପରିବାର ପାଇଁ ଦାଦନ ଖଟିବାକୁ ଯାଇଥିଲେ, ଫେରିଲେ ଶବ ହୋଇ: ହାଇଦ୍ରାବାଦରେ ବିଦ୍ୟୁତ ଆଘାତରେ କଳାହାଣ୍ଡି ଶ୍ରମିକଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ପେଟ ପାଇଁ ଘର ଛାଡ଼ି ଶହ ଶହ କିଲୋମିଟର ଦୂରକୁ ଦାଦନ ଖଟିବାକୁ ଯାଇଥିଲେ। ପରିବାରର ମୁହଁରେ ହସ ଫୁଟାଇବାର ସ୍ୱପ୍ନ ନେଇ ହାଇଦ୍ରାବାଦ ଯାଇଥିବା ଜଣେ ଶ୍ରମିକ ଶେଷରେ ଜୀବନ୍ତ ଫେରିଲେ ନାହିଁ। ବିଦ୍ୟୁତ ଆଘାତରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଦିନ ପରେ ମୃତଦେହ ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଶୋକରେ ଡୁବିଯାଇଛି। ଏଭଳି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ର ଭଟାଙ୍ଗପଦର ଗାଁରେ ଘଟିଛି। ମୃତକ ହେଲେ ୩୬ ବର୍ଷୀୟ ନିରନ ବିଭାର। ସୂଚନା ଅନୁସାରେ, କିଛି ଦିନ ତଳେ ନିରନ ରୋଜଗାର ଆଶାରେ ହାଇଦ୍ରାବାଦକୁ ଯାଇଥିଲେ। ସେଠାରେ ଜଣେ ଶ୍ରମିକ ଭାବେ କାମ କରୁଥିବା ସମୟରେ ଅଚାନକ ବିଦ୍ୟୁତ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ପରିବାର ଲୋକଙ୍କୁ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଶେଷ ହେବା ପରେ ୩ ଦିନ ପରେ ନିରନଙ୍କ ମୃତଦେହ ନିଜ ଗାଁରେ ପହଞ୍ଚିଥିଲା। ମୃତଦେହ ଦେଖି ପରିବାର ସଦସ୍ୟ ଓ ଆତ୍ମୀୟସ୍ୱଜନଙ୍କ କାନ୍ଦ ବୋବାଳିରେ ସମଗ୍ର ଗାଁର ପରିବେଶ ଭାରାକ୍ରାନ୍ତ ହୋଇଯାଇଥିଲା। ଏହି ଘଟଣା ପୁଣି ଥରେ ଦାଦନ ଶ୍ରମିକଙ୍କ ସୁରକ୍ଷା ଓ ସେମାନଙ୍କ ଜୀବନ ସଙ୍କଟକୁ ସାମ୍ନାକୁ ଆଣିଛି। ଜୀବିକା ଅନ୍ୱେଷଣରେ ପ୍ରତିବର୍ଷ ହଜାର ହଜାର ଶ୍ରମିକ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ କାର୍ଯ୍ୟସ୍ଥଳରେ ଦୁର୍ଘଟଣା, ମୃତ୍ୟୁ ଓ ଶୋଷଣର ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଏପରି ପରିସ୍ଥିତିରେ ଦାଦନ ଶ୍ରମିକଙ୍କ ସୁରକ୍ଷା, ବୀମା ସୁବିଧା ଏବଂ ପରିବାରକୁ ସହାୟତା ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial