ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ-କୁତ୍ରା ଅଞ୍ଚଳରେ ପୁଣି ଥରେ ହାତୀ ଆତଙ୍କ ଦେଖାଦେଇଛି। ଝାଡ଼ଖଣ୍ଡରୁ ଏକ ୨୬ ଟିକିଆ ହାତୀପଲ ଓଡ଼ିଶା ସୀମାକୁ ପ୍ରବେଶ କରିଥିବା ସୂଚନା ମିଳିବା ପରେ ବନ ବିଭାଗ ସଜାଗ ହୋଇପଡ଼ିଛି। ବର୍ତ୍ତମାନ ହାତୀପଲ ବଡ଼ଗାଁ ବ୍ଲକ୍ର ନୂଆଗାଁ ଝରେନ ଅଞ୍ଚଳ ନିକଟସ୍ଥ ପଞ୍ଚଧାର ଜଙ୍ଗଲରେ ବିଚରଣ କରୁଥିବା ବେଳେ ଆଖପାଖ ଗ୍ରାମରେ ଭୟର ପରିବେଶ ସୃଷ୍ଟି ହୋଇଛି।
ବନ ବିଭାଗର ସୂଚନା ଅନୁଯାୟୀ, ହାତୀପଲଟି ଝାଡ଼ଖଣ୍ଡ ଜଙ୍ଗଲ ଅଞ୍ଚଳରୁ ଗତି କରି ଓଡ଼ିଶା ସୀମାରେ ପ୍ରବେଶ କରିଛି। ବର୍ତ୍ତମାନ ସେମାନେ ପଞ୍ଚଧାର ଜଙ୍ଗଲ ମଧ୍ୟରେ ଘୁରିବୁଲୁଥିବା ବେଳେ ଯେକୌଣସି ସମୟରେ ଲୋକବସତି ଆଡ଼କୁ ମୁହାଁଇବାର ଆଶଙ୍କା ରହିଛି। ଏହାକୁ ନେଇ ନୂଆଗାଁ ଝରେନ ସମେତ ନିକଟସ୍ଥ ଗ୍ରାମଗୁଡ଼ିକର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ରାତି ସମୟରେ ଜଙ୍ଗଲ କିମ୍ବା ଜଙ୍ଗଲ ସଂଲଗ୍ନ ଅଞ୍ଚଳକୁ ଏକାକୀ ନଯିବା, ହାତୀପଲ ନିକଟକୁ ନଯିବା ଏବଂ ସେମାନଙ୍କୁ କୌଣସି ପ୍ରକାର ଉତ୍ତେଜିତ ନକରିବାକୁ କୁହାଯାଇଛି। ଅନ୍ୟପଟେ, ବନ ବିଭାଗର ସ୍ୱତନ୍ତ୍ର ଟିମ୍ ହାତୀପଲର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିଛି। ହାତୀପଲ ଗାଁ ମୁହାଁ ନହେବା ସହ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।












Leave a Reply