ଅକ୍ଷର ବ୍ୟୁରୋ: ଦେଶର ଶକ୍ତି ସୁରକ୍ଷାର ମେରୁଦଣ୍ଡ ଭାବେ ପରିଚିତ ଓଡ଼ିଶା ପୁଣିଥରେ କୋଇଲା ରୟାଲଟି ପ୍ରସଙ୍ଗକୁ ନେଇ ଜାତୀୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ଦେଶର ବିଦ୍ୟୁତ୍ ଉତ୍ପାଦନ ପାଇଁ ସବୁଠାରୁ ବଡ଼ ଭରସା ଥିବା ଓଡ଼ିଶାର କୋଇଲାରୁ କେନ୍ଦ୍ର ଓ ଦେଶ ଉପକୃତ ହେଉଥିବାବେଳେ, ଏହି ପ୍ରାକୃତିକ ସମ୍ପଦର ପ୍ରକୃତ ଆର୍ଥିକ ମୂଲ୍ୟ ରାଜ୍ୟ ପାଉଛି କି ନାହିଁ, ତାହାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସବୁଠାରୁ ବଡ଼ କଥା ହେଉଛି, ଗତ ୧୪ ବର୍ଷ ଧରି କୋଇଲା ରୟାଲଟି ହାରରେ କୌଣସି ସଂଶୋଧନ ହୋଇନାହିଁ। ଏହି ସମୟ ମଧ୍ୟରେ କୋଇଲାର ବଜାର ମୂଲ୍ୟ, ଖଣି ପରିଚାଳନା ଖର୍ଚ୍ଚ ଓ ଆର୍ଥିକ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଥିଲେ ମଧ୍ୟ ରୟାଲଟି ହାର ପୂର୍ବବତ୍ ରହିଛି। ଫଳରେ ଦେଶର ସର୍ବାଧିକ କୋଇଲା ଉତ୍ପାଦନକାରୀ ରାଜ୍ୟ ଭାବେ ଓଡ଼ିଶା ରାଜସ୍ୱ କ୍ଷେତ୍ରରେ ବଡ଼ କ୍ଷତି ସହୁଥିବା ନେଇ ବିଭିନ୍ନ ମହଳରେ ମତ ପ୍ରକାଶ ପାଉଛି।
ଏହି ପ୍ରସଙ୍ଗ ସଂସଦରେ ଉଠିବା ପରେ ରାଜ୍ୟସଭାରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ କୋଇଲା ରୟାଲଟି ବୃଦ୍ଧି କରିବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ। କେନ୍ଦ୍ରର ଏହି ଉତ୍ତର ପରେ ରୟାଲଟି ବୃଦ୍ଧିକୁ ନେଇ ପୁଣିଥରେ ରାଜନୈତିକ ଓ ଆର୍ଥିକ ମହଳରେ ଚର୍ଚ୍ଚା ଜୋର ଧରିଛି। ବିଶେଷଜ୍ଞମାନଙ୍କ ମତରେ, ଓଡ଼ିଶା କେବଳ ଦେଶକୁ କୋଇଲା ଯୋଗାଉନାହିଁ, ବରଂ ଖଣି ଅଞ୍ଚଳରେ ପରିବେଶ ପ୍ରଦୂଷଣ, ଜଙ୍ଗଲ କ୍ଷୟ, ବିସ୍ଥାପନ, ଭିତ୍ତିଭୂମି ଉପରେ ଅତିରିକ୍ତ ଚାପ ଏବଂ ସାମାଜିକ ପ୍ରଭାବ ଭଳି ଅନେକ ସମସ୍ୟାର ବୋଝ ମଧ୍ୟ ବହନ କରୁଛି। ତେଣୁ ରୟାଲଟି ହାରରେ ସଂଶୋଧନ ହେଲେ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବା ସହ ଖଣି ପ୍ରଭାବିତ ଅଞ୍ଚଳର ବିକାଶ, ପରିବେଶ ସୁରକ୍ଷା ଓ ଲୋକଙ୍କ ଜୀବନମାନର ଉନ୍ନତି ପାଇଁ ସେହି ଅର୍ଥକୁ ବ୍ୟବହାର କରାଯାଇପାରିବ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଯେଉଁ ରାଜ୍ୟ ଦେଶର ଶକ୍ତି ସୁରକ୍ଷାକୁ ମଜବୁତ କରୁଛି, ସେହି ରାଜ୍ୟ କାହିଁକି ନିଜ ପ୍ରାକୃତିକ ସମ୍ପଦର ଯଥାର୍ଥ ମୂଲ୍ୟରୁ ବଞ୍ଚିତ ରହିବ? କୋଇଲା ରୟାଲଟି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାର ଆଗାମୀ ଦିନରେ ପୁନର୍ବିଚାର କରିବେ କି ନାହିଁ, ତାହା ଉପରେ ଏବେ ଓଡ଼ିଶା ସମେତ ସମଗ୍ର ଦେଶର ନଜର ରହିଛି।












Leave a Reply