ଅକ୍ଷର ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରେ ପୁଣି ଥରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୁରିବାହାଲ ବ୍ଲକ ଇଛାପଡ଼ା ପଞ୍ଚାୟତ ଅନ୍ତର୍ଗତ ସର୍ଗୁଲ ଗ୍ରାମରେ ମଧ୍ୟରାତ୍ରିରେ ଜଙ୍ଗଲୀ ହାତୀପଲ ଏକ ଘର ଉପରେ ଆକ୍ରମଣ କରି ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେବା ସହ ଏକ ପରିବାରର ଚାରିଜଣଙ୍କୁ ଗୁରୁତର ଆହତ କରିଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୨ଟା ସମୟରେ ଜଙ୍ଗଲୀ ହାତୀପଲ ହଠାତ୍ ଲିଙ୍ଗରାଜ ଭୋଇଙ୍କ ଘର ଉପରେ ଆକ୍ରମଣ କରିଥିଲେ। ହାତୀମାନେ ଘରକୁ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ଘର ଭିତରେ ଥିବା ଲିଙ୍ଗରାଜ ଭୋଇ, ତାଙ୍କ ସ୍ତ୍ରୀ ଏବଂ ଦୁଇଜଣ ଶିଶୁ ଗୁରୁତର ଆହତ ହୋଇଥିଲେ।
ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲକୁ ପଠାଇଥିଲେ। ବର୍ତ୍ତମାନ ସମସ୍ତ ଆହତ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଘର ଭାଙ୍ଗିଯିବା ସହ ପରିବାରଟିର ବହୁ ଆସବାବପତ୍ର ଓ ଘରୋଇ ସାମଗ୍ରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ସର୍ଗୁଲ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ରାତି ହେଲେ ହାତୀପଲ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟରେ ରାତି କାଟୁଥିବା କହିଛନ୍ତି। ବାରମ୍ବାର ହାତୀ ଉପଦ୍ରବ ସତ୍ତ୍ୱେ ସ୍ଥାୟୀ ସମାଧାନ ନ ହେବାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣା ପରେ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ରାଜ୍ୟ ସରକାରଙ୍କୁ ପୀଡ଼ିତ ପରିବାରର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବା, ଯଥୋଚିତ କ୍ଷତିପୂରଣ ପ୍ରଦାନ କରିବା ଏବଂ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ସେହିସହିତ ବଲାଙ୍ଗୀରରେ ବଢ଼ିଚାଲିଥିବା ହାତୀ-ମଣିଷ ସଂଘର୍ଷକୁ ରୋକିବା ପାଇଁ ଦୀର୍ଘମିଆଦି ଓ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଦାବି ଜୋର ଧରିଛି।












Leave a Reply