ଖରିଫ ଚାଷରେ ସାର ସଙ୍କଟ ! କଳାବଜାରୀରେ ଚାଷୀ ନୟାନ୍ତ, ସରକାରୀ ବ୍ୟବସ୍ଥାକୁ ନେଇ ବଢ଼ୁଛି ଅସନ୍ତୋଷ

ଅକ୍ଷର ବ୍ୟୁରୋ: ଖରିଫ ଚାଷର ଚରମ ସମୟରେ ଓଡ଼ିଶାରେ ସାର ସଙ୍କଟ ଚାଷୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି। କ୍ଷେତରେ ଚାଷ କାମ ଜୋରଦାର ଭାବେ ଚାଲିଥିବାବେଳେ ସରକାରୀ ଦରରେ ସାର ନମିଳିବା ଏବଂ କଳାବଜାରୀରେ ଅଧିକ ଦରରେ ବିକ୍ରି ହେଉଥିବା ଅଭିଯୋଗକୁ ନେଇ ଚାଷୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶେଷକରି ରାୟଗଡ଼ା, ଆନନ୍ଦପୁର ଓ ଗଜପତି ଜିଲ୍ଲାରୁ ସାର କଳାବଜାରୀର ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି।

ଚାଷୀମାନଙ୍କ କହିବା ଅନୁସାରେ, ସହକାରୀ ସମିତି ଓ ସରକାରୀ ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ନଥିବାରୁ ସେମାନେ ବାଧ୍ୟ ହୋଇ ବେସରକାରୀ ଦୋକାନରୁ ଅଧିକ ଦରରେ ସାର କିଣୁଛନ୍ତି। କେତେକ ସ୍ଥାନରେ ସାର କିଣିବା ପାଇଁ ଅନ୍ୟ ସାମଗ୍ରୀ ମଧ୍ୟ ବାଧ୍ୟତାମୂଳକ ଭାବେ କିଣିବାକୁ ପଡ଼ୁଥିବା ଅଭିଯୋଗ ଉଠିଛି। ଏଭଳି ବେଆଇନ କାରବାର ଚାଷୀଙ୍କ ଆର୍ଥିକ ବୋଝକୁ ଆହୁରି ବଢ଼ାଇ ଦେଇଛି।

ଅନ୍ୟପଟେ ସାର କଳାବଜାରୀ ନେଇ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରଶାସନର ନୀରବତା ଏବଂ କୃଷି ବିଭାଗର ସଫେଇକୁ ନେଇ ଚାଷୀଙ୍କ ମଧ୍ୟରେ କ୍ଷୋଭ ବଢ଼ୁଛି। ଚାଷୀମାନଙ୍କ ମତରେ, ଖରିଫ ଋତୁରେ ଠିକ୍ ସମୟରେ ସାର ନମିଳିଲେ ଧାନ ସହ ଅନ୍ୟାନ୍ୟ ଫସଲର ଉତ୍ପାଦନ ସିଧାସଳଖ ପ୍ରଭାବିତ ହେବ। ଏହା କେବଳ ଚାଷୀଙ୍କ ଆୟକୁ ନୁହେଁ, ରାଜ୍ୟର ସାମଗ୍ରିକ କୃଷି ଉତ୍ପାଦନକୁ ମଧ୍ୟ କ୍ଷତିଗ୍ରସ୍ତ କରିପାରେ।

ଏପରି ପରିସ୍ଥିତିରେ ଚାଷୀମାନେ ସାରର କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଓ କଳାବଜାରୀରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିସହିତ ସମସ୍ତ ସହକାରୀ ସମିତି ଓ ସରକାରୀ ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ ସୁନିଶ୍ଚିତ କରିବାକୁ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଉଠିଛି।ଖରିଫ ଚାଷର ଏହି ନିର୍ଣ୍ଣାୟକ ସମୟରେ ସାର ସମସ୍ୟାର ଶୀଘ୍ର ସମାଧାନ ନହେଲେ ଏହା ଆଗାମୀ ଦିନରେ ରାଜ୍ୟର କୃଷି କ୍ଷେତ୍ର, ଖାଦ୍ୟ ଉତ୍ପାଦନ ଓ ଚାଷୀଙ୍କ ଜୀବିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial