ଅକ୍ଷର ବ୍ୟୁରୋ: କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଓ କଟକ ସଦର ବିଧାୟକଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ପରିସ୍ଥିତି ଉତ୍ତପ୍ତ ହୋଇଉଠିଛି। ପରସ୍ପର ପରସ୍ପରକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଉଭୟ ପକ୍ଷ ସାମ୍ନାସାମ୍ନି ହୋଇଥିବାବେଳେ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଛି। ଘଟଣାକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକମାନେ କଟକ ସଦର ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିବା ସହ ସେ ସର୍ବସାଧାରଣଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ପ୍ରାଧ୍ୟାପକଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର କରାଯାଇଥିବା ଅଭିଯୋଗ କରି ସେମାନେ ଏହାକୁ ଗୁରୁତର ପ୍ରସଙ୍ଗ ବୋଲି ଉଠାଇଛନ୍ତି।
ଅନ୍ୟପଟେ କଟକ ସଦର ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରି ନିଜକୁ ହିଁ ଦୁର୍ବ୍ୟବହାରର ଶିକାର ବୋଲି ଦାବି କରିଛନ୍ତି। ଏନେଇ ସେ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କୁ ଚିଠି ଲେଖି ସମଗ୍ର ଘଟଣାର ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ପ୍ରାଧ୍ୟାପକ ଓ ବିଧାୟକଙ୍କ ପରସ୍ପର ବିରୋଧୀ ଅଭିଯୋଗକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଚର୍ଚ୍ଚା ଜୋର ଧରିଥିବାବେଳେ ଘଟଣାର ସମାଧାନ କିପରି ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।












Leave a Reply