BRICS ଶିକ୍ଷା ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ବିଶ୍ୱର ନଜର ! ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଅକ୍ଷର ବ୍ୟୁରୋ: ଓଡ଼ିଶା ପୁଣି ଥରେ ଅନ୍ତର୍ଜାତୀୟ ସ୍ତରର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ଆୟୋଜକ ସାଜିଛି। ୧୩ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଏହାକୁ ନେଇ ବେଶ୍ ଗୁରୁତ୍ୱ ବଢ଼ିଛି।

ସୂଚନା ଅନୁଯାୟୀ, ପ୍ରହ୍ଲାଦ ଯୋଶୀ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବେ। ଗସ୍ତ ସମୟରେ ସେ ଭୁବନେଶ୍ୱରରେ ଆୟୋଜିତ ୧୩ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ସହ BRICS ଦେଶଗୁଡ଼ିକର ଶିକ୍ଷା ବ୍ୟବସ୍ଥା, ନୂତନ ଜାତୀୟ ଶିକ୍ଷା ନୀତି (NEP), ଡିଜିଟାଲ ଶିକ୍ଷା, କୌଶଳ ବିକାଶ ଓ ଭବିଷ୍ୟତର ଶିକ୍ଷା ମଡେଲ୍ ଉପରେ ଆଲୋଚନାରେ ସାମିଲ ହେବେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୩ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀ ସହ ୩ୟ BRICS ବରିଷ୍ଠ ଅଧିକାରୀ ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିରେ BRICS ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଓ ଶିକ୍ଷା ବିଶେଷଜ୍ଞମାନେ ଯୋଗଦେଉଛନ୍ତି।

ସମ୍ମିଳନୀରେ ଆନ୍ତର୍ଜାତୀୟ ଶିକ୍ଷା ସହଯୋଗ, ଛାତ୍ର ବିନିମୟ କାର୍ଯ୍ୟକ୍ରମ, ଗବେଷଣା, ଉଚ୍ଚଶିକ୍ଷା, କୌଶଳ ବିକାଶ ଏବଂ ଶିକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ମନ୍ଥନ ହେବ। ବିଶ୍ୱସ୍ତରୀୟ ଶିକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଦେଖାଯାଉଛି।କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। BRICS ଶିକ୍ଷା ସମ୍ମିଳନୀ ମାଧ୍ୟମରେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ନିଜର ସାମର୍ଥ୍ୟ ଓ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାର ଏକ ବଡ଼ ସୁଯୋଗ ପାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial