ଭାଇରାଲ୍ ନିଶା ପଡ଼ିଲା ମହଙ୍ଗା ! ବଣୁଆ ହାତୀକୁ ଚିଡ଼ାଇ ଭିଡିଓ କରି ଜେଲ୍‌ ଗଲେ ଯୁବକ

ଅକ୍ଷର ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ୍ ହେବାର ନିଶା ଶେଷରେ ଜଣେ ଯୁବକଙ୍କୁ ପହଞ୍ଚାଇଛି ଜେଲ୍‌ରେ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳରେ ବଣୁଆ ହାତୀକୁ ପିଛା କରି ଚିଡ଼ାଇବା, ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ୍ କରିବା ଘଟଣାରେ ବନ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ବନ୍ୟଜନ୍ତୁଙ୍କ ସହ ଏଭଳି ବିପଦପୂର୍ଣ୍ଣ ଆଚରଣ ନ କରିବାକୁ ସାଧାରଣ ଲୋକଙ୍କୁ ଚେତାବନୀ ଦେଇଛି ବନ ବିଭାଗ।

କିଛିଦିନ ତଳେ ଚମ୍ପୁଆ ଅଞ୍ଚଳରୁ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ସେହି ଭିଡିଓରେ ଜଣେ ଯୁବକ ବଣୁଆ ହାତୀକୁ ପିଛା କରି ଚିଡ଼ାଉଥିବା ସହ ମୋବାଇଲରେ ଭିଡିଓ ରେକର୍ଡ କରି ତାହାକୁ ସୋସିଆଲ ମିଡିଆରେ ଅପଲୋଡ୍ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଭିଡିଓଟି ଭାଇରାଲ୍ ହେବା ପରେ ବନ ବିଭାଗ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ପରେ ଗୋଧୁଳି ଅଞ୍ଚଳର ଗଶେଷ ନାୟକଙ୍କୁ ଚିହ୍ନଟ କରି ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଗିରଫ କରାଯାଇଛି। ବନ ବିଭାଗ କହିଛି, ବଣୁଆ ହାତୀକୁ ପିଛା କରିବା କିମ୍ବା ଚିଡ଼ାଇବା କେବଳ ଆଇନ ବିରୋଧୀ ନୁହେଁ, ଏହା ମଣିଷର ଜୀବନ ପାଇଁ ମଧ୍ୟ ଅତ୍ୟନ୍ତ ବିପଦଜନକ। ଏଭଳି କାର୍ଯ୍ୟ ଫଳରେ ହାତୀ ଉତ୍ତ୍ୟକ୍ତ ହୋଇ ଆକ୍ରମଣାତ୍ମକ ହୋଇପାରେ ଏବଂ ବଡ଼ ଧରଣର ଅଘଟଣର ଆଶଙ୍କା ସୃଷ୍ଟି ହୋଇପାରେ।

ଘଟଣା ପରେ ବନ ବିଭାଗ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ବନ୍ୟଜନ୍ତୁଙ୍କୁ ବିରକ୍ତ କରିବା, ପିଛା କରିବା କିମ୍ବା ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବାରୁ ନିବୃତ୍ତ ରହିବାକୁ ସମସ୍ତଙ୍କୁ ଅପିଲ୍ କରିଛି। ସେହିସହିତ ଆଗାମୀ ଦିନରେ ଏଭଳି ଘଟଣା ଘଟିଲେ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଭାଗ ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial