ଆର୍ଯ୍ୟପଲ୍ଲୀ ପାଇଁ ବଢ଼ୁଛି ସମୁଦ୍ରର ବିପଦ ! କୂଳ ଲଙ୍ଘି ଗାଁ ମୁହାଁ ସମୁଦ୍ର, ଗଙ୍ଗାଦେବୀ ମନ୍ଦିର ପରେ ଏବେ ଘରବାଡ଼ିକୁ ଭୟ

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀରେ ଦିନକୁ ଦିନ ସଙ୍ଗିନ ହେଉଛି ସମୁଦ୍ର କୂଳ କ୍ଷୟ ସମସ୍ୟା। ପୁଣି ଥରେ ସମୁଦ୍ର କୂଳ ଲଙ୍ଘି ଗାଁ ଆଡ଼କୁ ମାଡ଼ି ଆସିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହା ପୂର୍ବରୁ ସମୁଦ୍ର ଗର୍ଭରେ ରାସ୍ତା ଏବଂ ଐତିହ୍ୟବାହୀ ଗଙ୍ଗାଦେବୀ ମନ୍ଦିର ଲୀନ ହୋଇଯାଇଥିବାବେଳେ ଏବେ ଘରବାଡ଼ି ଓ ସମଗ୍ର ଗାଁର ଅସ୍ତିତ୍ୱ ଉପରେ ବିପଦ ଘନେଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯେଉଁ ସମୁଦ୍ର ଦିନେ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିଲା, ବର୍ତ୍ତମାନ ସେହି ସମୁଦ୍ର ଗାଁର ଶେଷ ସୀମାଠାରୁ ମାତ୍ର ୫୦ ମିଟର ଦୂରରେ ପହଞ୍ଚିଯାଇଛି। ଲଗାତାର ସମୁଦ୍ର କୂଳ କ୍ଷୟ ଯୋଗୁଁ ଗାଁର ରାସ୍ତା, କୋଠଘର ଏବଂ ଗଙ୍ଗାଦେବୀ ମନ୍ଦିର ସମେତ ଅନେକ ସ୍ଥାନ କ୍ଷତିଗ୍ରସ୍ତ ହୋଇସାରିଛି। ସମୁଦ୍ରର ଏହି ଆକ୍ରମଣାତ୍ମକ ରୂପକୁ ନେଇ ଆର୍ଯ୍ୟପଲ୍ଲୀବାସୀଙ୍କ ମଧ୍ୟରେ ଗଭୀର ଭୟ ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ ଆଶଙ୍କା, ଯଦି ଶୀଘ୍ର ସ୍ଥାୟୀ ପ୍ରତିକାର କରାନଯାଏ, ତେବେ ଦିନେ ସମଗ୍ର ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯାଇପାରେ। ଏହା କେବଳ ଘରବାଡ଼ି ନୁହେଁ, ଲୋକଙ୍କ ଜୀବିକା ଓ ସାଂସ୍କୃତିକ ଐତିହ୍ୟ ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରିଛି। ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକେ ସମୁଦ୍ର କୂଳ ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ଦାବି କରିଆସୁଛନ୍ତି। ବିଶେଷକରି ସମୁଦ୍ର କୂଳରେ ଗାର୍ଡ ୱାଲ୍‌ ନିର୍ମାଣ କରି ସମୁଦ୍ର କ୍ଷୟକୁ ରୋକିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ପାଇଁ ଏକ ବୈଠକ ଡାକାଯାଇଥିବାବେଳେ, ସ୍ଥାୟୀ ସମାଧାନ ନେଇ କି ପଦକ୍ଷେପ ନିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial