ଅକ୍ଷର ବ୍ୟୁରୋ: ଉତ୍ତର ଓଡ଼ିଶା ଉପକୂଳ ପାର୍ଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ପ୍ରକୋପ ବଢ଼ିଛି। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ଜାରି ରହିଥିବାବେଳେ ଗତକାଲିଠାରୁ କଟକ-ଭୁବନେଶ୍ୱର ଟୁଇନ୍ ସିଟିରେ ଝିପିଝିପି ବର୍ଷା ଲାଗି ରହିଛି। ଏହି ପାଣିପାଗ ପରିସ୍ଥିତିକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଓ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଦୁଇ ଜିଲ୍ଲା ସମେତ ଅନ୍ୟାନ୍ୟ ଅଞ୍ଚଳରେ ବଜ୍ରପାତ, ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଅନ୍ୟପଟେ ଆଜି ସକାଳ ସାଢେ ୮ଟାରୁ ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପୁଣି ଥରେ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଥିବାବେଳେ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ରାଜ୍ୟରେ ମୌସୁମୀ ପ୍ରଭାବ ସକ୍ରିୟ ରହିଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ପ୍ରବଳ ବର୍ଷା ସମୟରେ ଅନାବଶ୍ୟକ ଯାତାୟାତ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି।















Leave a Reply