ଅକ୍ଷର ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଧାୟକ ଓ ଅଧ୍ୟାପକ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏପର୍ଯ୍ୟନ୍ତ ତୁଟିନାହିଁ। ବରଂ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ପୂର୍ବରୁ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିବା ରେଭେନ୍ସା ଅଧ୍ୟାପକ ସଂଘ ଏବେ ବାଚସ୍ପତିଙ୍କ ନିକଟରେ ବିଧାୟକ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ପାଇଁ ଦାବି ଉଠାଇଛି।
ଅଧ୍ୟାପକଙ୍କ ପ୍ରତି ବିଧାୟକଙ୍କ କଥିତ ଦୁର୍ବ୍ୟବହାରକୁ ନେଇ ପୂର୍ବରୁ ରେଭେନ୍ସା ଅଧ୍ୟାପକ ସଂଘ ସମୂହ ଇସ୍ତଫାପତ୍ର କୁଳପତିଙ୍କୁ ପ୍ରଦାନ କରିଥିଲା। ଏହାସହ ସାତ ଦିନ ମଧ୍ୟରେ ବିଧାୟକ କ୍ଷମା ପ୍ରାର୍ଥନା ନ କଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲା। କିନ୍ତୁ ବର୍ତ୍ତମାନ ସଂଘ ନିଜ ଦାବିରେ ପରିବର୍ତ୍ତନ ଆଣି ବାଚସ୍ପତିଙ୍କ ନିକଟରେ ବିଧାୟକ ଦାଖଲ କରିଥିବା ଅଭିଯୋଗ ପ୍ରତ୍ୟାହାରକୁ ପ୍ରମୁଖ ଦାବି ଭାବେ ଉପସ୍ଥାପନ କରିଛି। ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପକ ସଂଘ କହିଛି ଯେ, ବିବାଦକୁ ଆଉ ଅଧିକ ବଢ଼ାଇବା ସେମାନଙ୍କ ଉଦ୍ଦେଶ୍ୟ ନୁହେଁ। ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଗରିମା ବଜାୟ ରଖିବା ସହ ଘଟଣାର ସମ୍ମାନଜନକ ସମାଧାନ ହେଉ ବୋଲି ସଂଘ ଆଶା ପ୍ରକାଶ କରିଛି।
ଅନ୍ୟପଟେ, ବିଧାୟକ ପ୍ରକାଶ ସେଠୀ ନିଜ ଅବସ୍ଥାନରେ ଅଟଳ ରହିଛନ୍ତି। ସେ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ କୌଣସି ଭୁଲ୍ କରିନାହାନ୍ତି। ଘଟଣା ସମ୍ପର୍କରେ ନିଜ ପକ୍ଷ ରଖିବା ପାଇଁ ସେ ରାଜ୍ୟପାଳଙ୍କୁ ଭେଟିବାର ଯୋଜନା ଥିବା କଥା ମଧ୍ୟ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଏହି ବିବାଦ କେଉଁ ଦିଗକୁ ମୋଡ଼ ନେବ ଏବଂ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଫିଟିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।















Leave a Reply