ଘୂର୍ଣ୍ଣିବଳୟ ପ୍ରଭାବରେ ଭିଜୁଛି ଓଡ଼ିଶା: ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ, ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ; ଟୁଇନ୍ ସିଟିରେ ଲାଗିରହିଛି ତୁହାକୁ ତୁହା ବର୍ଷା

ଅକ୍ଷର ବ୍ୟୁରୋ: ସକ୍ରିୟ ଘୂର୍ଣ୍ଣିବଳୟ ଓ ମୌସୁମୀର ମିଳିତ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି। ଉତ୍ତର ଓଡ଼ିଶା ଉପକୂଳ ପାର୍ଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି। ଗତକାଲିଠାରୁ କଟକ-ଭୁବନେଶ୍ୱର ଟୁଇନ୍ ସିଟିରେ ତୁହାକୁ ତୁହା ବର୍ଷା ଜାରି ରହିଥିବାରୁ ଜନଜୀବନ ଆଂଶିକ ପ୍ରଭାବିତ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜି ପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ରାଜ୍ୟର ବାକି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ସହ କିଛି ସ୍ଥାନରେ ବଜ୍ରପାତ ଓ ଝଟକା ପବନର ସମ୍ଭାବନା ଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ମୌସୁମୀ ପ୍ରଭାବ ସକ୍ରିୟ ଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ବିଶେଷକରି ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ଅନାବଶ୍ୟକ ଯାତାୟାତ ଏଡ଼ାଇବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ପ୍ରଶାସନ ମଧ୍ୟ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ସରକାରୀ ପରାମର୍ଶ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial