ଛାତ ଉପରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ: ଗଞ୍ଜାମରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ, ଜଣେ ଶ୍ରମିକ ଆହତ

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଏକ ଦୁଃଖଦ ଅଘଟଣ ଘଟିଛି। ବିଦ୍ୟୁତ ଆଘାତରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଶ୍ରମିକ ଆହତ ହୋଇଛନ୍ତି। ଏହି ଘଟଣା ଆସିକା ଥାନା ଅନ୍ତର୍ଗତ ଆଲିପୁର ଗାଁରେ ଘଟିଛି। ମୃତକ ହେଲେ କୋଟିନଡା ଗାଁର ୫୫ ବର୍ଷୀୟ ଭିକାରୀ ଗୌଡ଼। ଆହତ ଶ୍ରମିକଙ୍କ ନାମ ସୁମିତ୍ରା ନାୟକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ପଞ୍ଚାୟତ ଭବନର ଉପର ଛାତରେ ନିର୍ମାଣ କାମ ଚାଲିଥିବା ବେଳେ ଭିକାରୀ ଗୌଡ଼ କାମ କରୁଥିଲେ। ସେହି ସମୟରେ ଅସାବଧାନତାବଶତଃ ସେ ନିକଟରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପ୍ରବଳ ବିଦ୍ୟୁତ ଆଘାତରେ ସେ ଗୁରୁତର ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାରେ ସହକର୍ମୀ ସୁମିତ୍ରା ନାୟକ ମଧ୍ୟ ଆହତ ହୋଇଛନ୍ତି।

ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିବାବେଳେ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିର୍ମାଣ କାମ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ବିଦ୍ୟୁତ ତାର ନିକଟରେ କାର୍ଯ୍ୟ କରିବା ବେଳେ ସତର୍କତା ଅବଲମ୍ବନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial