ବର୍ଷାରୁ ମିଳୁନି ନିସ୍ତାର: ଘୂର୍ଣ୍ଣିବଳୟ ସକ୍ରିୟ, ଓଡ଼ିଶାରେ ଲଘୁଚାପ ନେଇ ବଡ଼ ପୂର୍ବାନୁମାନ

ଅକ୍ଷର ବ୍ୟୁରୋ: ସାରା ଓଡ଼ିଶାରେ ପୁଣି ଜୋର ଧରିଛି ବର୍ଷା। ଉତ୍ତର ଓଡ଼ିଶା ଉପକୂଳ ପାର୍ଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପାଣିପାଗ ପରିସ୍ଥିତି ଆହୁରି ସକ୍ରିୟ ହୋଇପାରେ। ଗତକାଲିଠାରୁ କଟକ-ଭୁବନେଶ୍ୱର ଟୁଇନ୍ ସିଟିରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହେବା ସହ ଯାତାୟାତରେ ମଧ୍ୟ ସମସ୍ୟା ଦେଖାଦେଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ରାଜ୍ୟର ବାକି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ମୌସୁମୀ ପ୍ରଭାବ ସକ୍ରିୟ ରହିଥିବାରୁ ଆଗାମୀ ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଏବଂ କେତେକ ସ୍ଥାନରେ ଝଡ଼ ପବନର ସମ୍ଭାବନା ରହିଥିବାରୁ ସତର୍କତା ଜାରି କରାଯାଇଛି।

କେବଳ ଓଡ଼ିଶା ନୁହେଁ, କର୍ଣ୍ଣାଟକର ଉପକୂଳ ଅଞ୍ଚଳ, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, କେରଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି। ଏହାଛଡ଼ା ଅଣ୍ଡାମାନ-ନିକୋବାର, ଅରୁଣାଚଳ ପ୍ରଦେଶ, ଆସାମ-ମେଘାଳୟ, ବିହାର, ଛତିଶଗଡ଼, ପୂର୍ବ ଉତ୍ତରପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାରଖଣ୍ଡ ଏବଂ ଉତ୍ତରାଖଣ୍ଡ ସମେତ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ପାଣିପାଗ ବିଭାଗ ନିମ୍ନାଞ୍ଚଳ, ନଦୀକୂଳ ଓ ବନ୍ୟାପ୍ରବଣ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଅନାବଶ୍ୟକ ଯାତ୍ରା ଏଡ଼ାଇବା, ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ଏବଂ ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗର ସତର୍କ ସୂଚନାକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଲଘୁଚାପ ସୃଷ୍ଟି ହେଲେ ରାଜ୍ୟରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ। ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ନଦୀ ଜଳସ୍ତର ବୃଦ୍ଧି ଏବଂ ଚାଷ ଜମିରେ ପାଣି ଜମିବାର ଆଶଙ୍କା ରହିଥିବାରୁ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial