ଅକ୍ଷର ବ୍ୟୁରୋ: ପୁଣି ଘାରିଲା ବର୍ଷା ଭୟ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ। ଏହାର ପ୍ରଭାବରେ ଓଡ଼ିଶାର ପାଗରେ ବଡ଼ ପରିବର୍ତ୍ତନ ଆସିବା ସହ ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ବିଶେଷକରି ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ଲଘୁଚାପ ଗଠନ ପୂର୍ବରୁ ହିଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ରାସ୍ତାଘାଟ ଜଳମଗ୍ନ ହେବା ସହ ନଦୀନାଳରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। କିଛି ସ୍ଥାନରେ ହଠାତ୍ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ। ଲଗାଣ ବର୍ଷା ହେଲେ ଚାଷଜମି ଜଳମଗ୍ନ ହେବା ସହ ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ସମସ୍ୟା ବଢ଼ିପାରେ। ସମ୍ଭାବ୍ୟ ବର୍ଷା ଓ ବିପଦକୁ ନଜରରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ରେଡ୍ ଆଲର୍ଟ ଜାରି ହେବା ପରେ ଆଜି, ଅର୍ଥାତ୍ ଅଗଷ୍ଟ ୮ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତି କିମ୍ବା କାର୍ଯ୍ୟ ସମ୍ପର୍କରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।
ମୟୂରଭଞ୍ଜ ସମେତ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଲଘୁଚାପଜନିତ ବର୍ଷାର ପ୍ରଭାବ ପଡ଼ିପାରେ। ପୂର୍ବରୁ ବର୍ଷା ଓ ବନ୍ୟାରେ ପ୍ରଭାବିତ ଅଞ୍ଚଳ ପାଇଁ ଏହି ନୂଆ ଲଘୁଚାପ ଚିନ୍ତା ବଢ଼ାଇଛି। ଅଧିକ ବର୍ଷା ହେଲେ ନଦୀର ଜଳସ୍ତର ବଢ଼ିବା ସହ ଚାଷଜମି ଜଳମଗ୍ନ ହେବାର ଆଶଙ୍କା ରହିଛି। ଜରୁରୀ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସଜାଗ ରଖାଯାଇଛି। ଲୋକଙ୍କୁ ସତର୍କ ରହିବା ସହ ଅତ୍ୟାବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏବେ ସମସ୍ତଙ୍କ ନଜର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗଠନ ହେବାକୁ ଥିବା ଲଘୁଚାପ ଉପରେ। ଏହା କେତେ ଘନୀଭୂତ ହେଉଛି ଏବଂ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ତୀବ୍ରତା କେତେ ବଢ଼ୁଛି, ତା’ଉପରେ ରହିଛି ପାଣିପାଗ ବିଭାଗ ଓ ପ୍ରଶାସନର ନଜର।











Leave a Reply